
- ପାହାଡ ଚଢ଼ିବାର ମଜାନେଲେ ଶ୍ରଦ୍ଧାଳୁ, ମନ୍ଦିରରେ ଲାଗିହେଲା ପିଠା କନ୍ଦ ଭୋଗ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବର ଚତୁର୍ଥ ଦିନରେ ପ୍ରବଳ ଜନ ସମାଗମ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଗନ୍ଧମାର୍ଦ୍ଦନ ପାହାଡ ଚଢ଼ି ନୃସିଂହନାଥ ଯାଇଥିବା ବେଳେ ସେପଟୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ମହିଳା ପୁରୁଷ, ବୃଦ୍ଧାବୃଦ୍ଧ, ଯୁବକଙ୍କ ଭିଡ଼ ଦେଖାଯିବା ସହିତ ଲୋକାରଣ୍ୟ ହୋଇଥିଲା । ଏହି ଅବସରରେ ହରିଶଙ୍କର ମନ୍ଦିରର ପୂଜକମାନେ ପୂର୍ବରୁ ପାହାଡ ଉପରୁ ସଂଗୃହୀତ ପିଠା କନ୍ଦ ବା ପିଠ କନ୍ଦ ହରିଶଙ୍କର ଠାକୁରଙ୍କ ଠାରେ ସଂଧ୍ୟାରେ ଭୋଗ ଲାଗି ସ୍ୱତନ୍ତ୍ର ନୀତି ସହ ପ୍ରଦାନ କରାଯାଇଥିଲା । ଶହ ଶହ ବର୍ଷ ଧରି ଏହି ଭୋଗ ଲାଗି ପରମ୍ପରା ଲାଗିରହିଛି । ସଂଧ୍ୟାରେ ଚତୁର୍ଥ ଦିନର ମହୋତ୍ସବ ମଞ୍ଚ ଉଦ୍ଘାଟନୀ ଅନୁଷ୍ଠିତ ହୋଇଥିବ ବେଳେ ପାଟଣାଗଡ ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର ମେହେର ଅଧ୍ୟକ୍ଷତା କରିଥିବା ବେଳେ ମୂଖ୍ୟ ଅତିଥି ରୂପେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ପାଟଣାଗଡ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ପାଟଣାଗଡ ବିଡ଼ିଓ ସୁମନ କୁମାର ମିଞ୍ଜ, ତହସିଲଦାର ରୁଦ୍ର ମୋହନ ନାଏକ, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଯୋଗଦେଇ ଗନ୍ଧମାର୍ଦ୍ଦନ ପାହାଡ, ହରିଶଙ୍କର ମନ୍ଦିରର ଇତିହାସ, ପୌରାଣିକ କଥାବସ୍ତୁ, ଲୋକକଥା ଉପରେ ଆଲୋକପାତ କରିବା ସହିତ ମନ୍ଦିରର ଉନ୍ନତି ଉପରେ କହିଥିଲେ । କାର୍ଯ୍ୟକ୍ରମକୁ ଦେବୋତ୍ତର କମିଟି ସଦସ୍ୟ ଡ. ଅଭୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଥମ ମଞ୍ଚରେ ମାଁ ଭୂଇଁ ରାଣୀ କଳାମନ୍ଦିର, ଭୁବନେଶ୍ୱରର କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ତମିଆଁ ଗାଁର ରାମଲୀଳା ମଞ୍ଚସ୍ଥ ହୋଇଥିଲା । ସେହିପରି ନିତାନୃତ୍ୟାଙ୍ଗାନା, ଢେଙ୍କାନାଳର ସାନ୍ତାଳୀ ନୃତ୍ୟ, ପ୍ରତିଭା କଳାହାଣ୍ଡିର ସିଂହାରୀ ନୃତ୍ୟ, ବଡଜମ୍ବାନି ମୟୁରଭଞ୍ଜର ଛଉ ନୃତ୍ୟ, କୃଷ୍ଣପ୍ରିୟା କଳାପରିଷଦ, ତୁଷୁରା ସାନବଡ଼ ଦଳର ଘୁଡୁକା ନାଚ ଓ ସତିଘାଟର ଧରିତ୍ରୀ ଦଣ୍ଡନୃତ୍ୟ ପରିବେଷିତ ହୋଇଥିଲା ।