
ଯାଜପୁର, (ସସ୍ମିତା ପ୍ରଧାନ) : ଦୁନିଆଁ ରଙ୍ଗମଞ୍ଚରେ ଅନେକ ଚରିତ୍ରରେ ଅଭିନୟ କରିବାକୁ ଥିଲେ ବି ବାଛି ନେଇଥିଲେ ଯାତ୍ରା ମଞ୍ଚକୁ । ମୁକ୍ତ ମଞ୍ଚର ରଙ୍ଗୀନ ମାହୋଲରେ ଦର୍ଶକ ମାନଙ୍କୁ ହସାଇ, କନ୍ଦାଇ, ମନୋରଞ୍ଜନର ଖୋରାକ ଯୋଗେଇଦେବା ସହିତ ଜୀବନର ଶେଷ ଯାଏ କଳାକାରୀକୁ ଆପଣେଇ ନେବାକୁ ସିଦ୍ଧାନ୍ତ ନେଇଥିବା ଇଛାର ରାଣୀ ପାୟଲ ଏବେ ଜୀବନର ଶେଷ ଯାତ୍ରାରେ ସାମିଲ ହୋଇସାରିଛି । ଅନ୍ୟକୁ ମଞ୍ଚ ଉପରୁ କନ୍ଦାଉ ଥିବା ପାୟଲ ଏବେ ସମସ୍ତଙ୍କର ଆଖିର ଲୁହ ପାଲଟି ଯାଇଛି । ଏପରି ଦୁଃଖପୂର୍ଣ୍ଣ ଖବର ଘଟିଛି ଯାଜପୁର ଜିଲ୍ଲାର ପାଣିକୋଇଲି ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମରେ । ପରିବାରର ଆର୍ଥିକ ଦୁରବସ୍ଥାକୁ ଦୂରେଇବା ପାଇଁ ଯାତ୍ରା ଜଗତରେ ପାଦ ଥାପିଥିଲେ ପାୟଲ ପଣ୍ଡା । ଖୁବ କମ୍ ଦିନରେ ସବୁ ଚରିତ୍ରକୁ ନିଖୁଣ ଭାବେ ଅଭିନୟ କରି ଦର୍ଶକ ମାନଙ୍କର ହୃଦୟରେ ପ୍ରଶଂସାର ପାତ୍ରୀ ପାଲଟିଥିଲେ । ଗତ ରବିବାର ଭୋର ସମୟରେ ସହ-ଅଭିନେତ୍ରୀ ଝିଲି ସାହାଣୀଙ୍କ ସହିତ ସ୍କୁଟି ଯୋଗେ ଯାଉଥିବା ସମୟରେ ସୋର ଥାନା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥର ଦହିଷଢା ସାଧନା ହୋଟେଲ ନିକଟରେ ଭାରସାମ୍ୟ ହରାଇ ପୋଲ ଉପରୁ ୨୦ ଫୁଟ ତଳକୁ ଖସି ପଡ଼ିଥିଲେ । ଅତି ମୁର୍ମୁଷୁ ଅବସ୍ଥାରେ ଦୁଇ ଅଭିନେତ୍ରୀଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ପାୟଲଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଏହି ଦୁଃଖଦ ଖବର ପାଇ ଉତ୍କଳ କଳାକାର ଏକାଡେମୀର ରାଜ୍ୟ ସଭାପତି ସୁଜାତା ମିଶ୍ର, ଏକାଡେମୀର ପ୍ରତିଷ୍ଠାତା ସମ୍ପାଦକ କୈଳାସ ନାୟକ ଓ ରାଜ୍ୟ ଆବାହିକା କୁସୁମ ମଞ୍ଜରୀ ଦାସ ମେଡିକାଲରେ ପହଞ୍ଚି ଅଭିନେତ୍ରୀ ମାନଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ଡାକ୍ତରଙ୍କ ଠାରୁ ବୁଝିଥିଲେ । ସମ୍ପୃକ୍ତ ଡାକ୍ତର ଆଶ୍ୱାସନା ଦେଇ କହିଥିଲେ ଯେ ୭୨ ଘଣ୍ଟା ଅବଜର୍ଭରେ ରଖାଯାଇଛି । ତାପରେ ଜଣାପଡିବ, ଈଶ୍ୱର ଚାହିଁଲେ ସବୁକିଛି ଠିକ ହୋଇଯାଇପାରେ । କିନ୍ତୁ ଦୁଃଖର ବିଷୟ ପରିବାର, ପ୍ରିୟଜନ, ସାଙ୍ଗସାଥି, ବନ୍ଧୁବର୍ଗ, ଯାତ୍ରା ଦୁନିଆଁକୁ ଛାଡି ଶେଷ ଯାତ୍ରାରେ ଚାଲିଗଲେ । ମୃତ୍ୟୁ ସମୟରେ ତାଙ୍କର ସ୍ୱାମୀ, ଭଉଣୀ, ଦୁଇ ସନ୍ତାନ ଉପସ୍ଥିତ ଥିବାର ଜାଣିବାକୁ ମିଳିଛି । ତାଙ୍କର ପାର୍ଥିବ ଶରୀର ନିଜସ୍ୱ ଗ୍ରାମ ଲକ୍ଷ୍ମଣପୁରରେ ପହଂଚିବା ପରେ ଶହସ୍ରାଧିକ ଅଞ୍ଚଳବାସୀ ଓ ଓଡ଼ିଶାର ବିଶିଷ୍ଠ ବ୍ୟକ୍ତିଙ୍କ ସମେତ ଉତ୍କଳ କଳାକାର ଏକାଡେମୀର ରାଜ୍ୟ କାର୍ଯ୍ୟକର୍ତ୍ତା କୈଳାସ ନାୟକ, କୁସୁମ ମଞ୍ଜରୀ ଦାସ ଆରମ୍ଭରୁ ଶବଦାହ ପର୍ଯ୍ୟନ୍ତ ରହି ପରିବାରଜନଙ୍କୁ ସାନ୍ତ୍ୱନା ଦେବା ସହିତ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ।