ଖସୁଛି ଇନ୍ଦ୍ରାବତୀର ଜଳସ୍ତର, ୩୨ପ୍ରତିଶତରେ ଜଳଭଣ୍ଡାର

ଜୟପାଟଣା, (ଶେଷ ଦେବ ବେହେରା) : କଳାହାଣ୍ଡି ଜିଲ୍ଲା ପାଇଁ ଆର୍ଥିକ ବିକାଶର ବାର୍ତ୍ତା ଆଣି ୧.୧୮ଲକ୍ଷ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ ରଖି ଆସିଥିବା ଇନ୍ଦ୍ରାବତୀ ଅନିୟମିତ ବର୍ଷା ପାଇଁ ଆଶଙ୍କା ବଢ଼ାଇବାରେ ଲାଗିଲାଣି । ଖରିଫ ଓ ରବି ଜଳସେଚନ ଉଭୟ ବାମ ଓ ଦକ୍ଷିଣ କେନାଲରେ ହୋଇ ଆସୁଥିବା ବେଳେ ୨୦୨୧ମସିହାରୁ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ କାର୍ଯ୍ୟକ୍ଷମ ହୋଇ ଚିର ମରୁଡି ପ୍ରବାହ ଉଚ୍ଚମାଳ ଅଞ୍ଚଳ ପାଇଁ ଏବେ ବରଦାନ ସାଜିଛି । ଚଳିତ ବର୍ଷ ରବି ଜଳ ସେଚନ ପାଇଁ ୫୩, ୩୭୪ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ରଖାଯାଇଥିବା ବେଳେ ଜୟପାଟଣା ବ୍ଲକର ୧୩, ୭୮୫ହେକ୍ଟର, କଲମପୁର ବ୍ଲକ ର ୮୮୪୪, ଜୁନାଗଡ଼ ର ୨୧,୭୨୮, ଧର୍ମଗଡ ର ୬୯୦୫, ଓ କୋକସରା ବ୍ଲକର ୨୧୧୦ହେକ୍ଟର ଜମିରେ ରବି ଜଳସେଚନକୁ ଚୁଡାନ୍ତ ରୂପ ଦିଆଯାଇ ଇତି ମଧ୍ୟରେ ଜଳ ସେଚନର ସତୁରୀ ଦିନ ଅତିକ୍ରାନ୍ତ ହୋଇସାରିଲାଣି । ଖରିଫ ଜଳସେଚନ ପୂର୍ଣ୍ଣାଙ୍ଗ ହେବା ପରେ ଗତ ଜାନୁଆରୀ ସାତ ତାରିଖରୁ ରବି ଜଳସେଚନକୁ ଅନେକ ଆଶଙ୍କା ମଧ୍ୟରେ ଆରମ୍ଭ କରାଯାଇ ୫୩, ୩୭୪ହେକ୍ଟର ଜମିରେ ଜଳ ସେଚନକୁ ସୀମିତ ରଖାଯାଇଛି । ବିଗତ ବର୍ଷ ତୁଳନାରେ ଗତ ବର୍ଷ ଦୁଇ ମିଟର କମ୍ ଜଳ ସଂଗୃହିତ ହୋଇଥିଲା । ଏପରି ସ୍ଥଳେ ରବି ଜଳ ସେଚନ ଓ ସମ୍ପୃକ୍ତ ଅଞ୍ଚଳରେ ଚାଷକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ କେନାଲରେ ପର୍ଯ୍ୟାୟ କ୍ରମେ ଜଳସେଚନ ଦିଆଯିବା ସହିତ ଉଠା ଜଳ ସେଚନକୁ ସମ୍ପୂର୍ଣ୍ଣ ବନ୍ଦ କରିଥିବା ସୂଚନା ମିଳିଛି । ଗତବର୍ଷ ଆଜିର ଦିନରେ ଜଳଭଣ୍ଡାରର ସ୍ଥିତି ୬୩୨.୦୯୫ ମିଟର ରହିଥିବା ବେଳେ ଚଳିତ ବର୍ଷ ୬୩୧.୮୧ ମିଟର ଅର୍ଥାତ ୩୨.୯୪୯ ମିଟରରେ ରହିଥିବା ସୂଚନା ମିଳିଛି । ବର୍ତ୍ତମାନ ସ୍ଥିତିରେ ଜଳ ଭଣ୍ଡାର ମଧ୍ୟକୁ ୨୦.୦୩୩ କ୍ୟୁବିକ ମିଟର ସ୍ଵାଭାବିକ ଜଳ ରାଶି ପ୍ରବେଶ କରୁଥିବା ବେଳେ ୬୬.୪୬୦ କୁମେକ୍ସ ପାଣି ଜଳସେଚନ ପାଇଁ ଛଡ଼ା ଯାଉଥିବା ସୂଚନାରୁ ପ୍ରକାଶ ଫଳ ସ୍ୱରୂପ ବାମ ମୁଖ୍ୟ କେନାଲରେ ୪୯.୩୫ଓ ଦକ୍ଷିଣ ମୁଖ୍ୟ କେନାଲରେ ୨୩.୦୩ କୁମେକ୍ସ ପାଣି ଜଳସେଚନ ପାଇଁ ଦିଆଯାଉଥିବା ସୂଚନା ମିଳିଛି । ଜଳସେଚନ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗ ତାରି ଉଦ୍ୟମ ଜାରି ରଖିଥିବା ବେଳେ ଚାଷୀ ମଧ୍ୟ ପରସ୍ପର ଜଳ ସେଚନ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବା ପାଇଁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.