ବନ୍ଧୁକ ଦେଖାଇ ସୁନା ଗହଣା ଲୁଟ ଘଟଣା : ଜଣେ ନାବାଳକ ସହ ୪ ଗିରଫ

  • ବନ୍ଧୁକ ଜବତ, ଡ୍ରାଇଭର ସାଜିଥିଲା ମାଷ୍ଟର ମାଇଣ୍ଡ, ସାମ୍ବାଦିକ ସମ୍ମିଳନୀରେ ଏସ୍‌ପିଙ୍କ ସୂଚନା

ସଇଁତଲା, (ଖୁସିରାନି ସାହୁ ) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଘୁନସର ଗାଁ ହାଇସ୍କୁଲ ଛକ ନିକଟରେ ଗତ ଶନିବାର ଦିନ ଚାରି ଚକିଆ ଗାଡିକୁ ଅଟକାଇ ସୁନା ହାର ଓ ସୁନା ଚେନ୍‌ ଲୁଟି ନେବା ଘଟଣାରେ ସଇଁତଲା ପୋଲିସକୁ ମିଳିଛି ବଡ଼ ସଫଳତା । ବଲାଙ୍ଗିର ଏସ୍‌ପି ଅଭିଳାଷ ଜିଙ୍କ ନିର୍ଦ୍ଦେଶ କ୍ରମେ ସଇଁତଲା ଥାନାଧିକାରୀ ସୁଶାନ୍ତ ବଢ଼େଇଙ୍କ ନେତୃତ୍ୱରେ ୨ଟି ଟିମ୍‌ ଗଠନ କରି ୨୪ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ ସଫଳତା ହାସଲ କରିଛି । ଅଭିଯୁକ୍ତମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ, ଏକ ଲୁହା ହାତୁଡ଼ି, ୪ଟି ମୋବାଇଲ ଫୋନ, ଦୁଇଟି ବାଇକ ପୋଲିସ ଜବତ କରିଛି । ଏନେଇ ବଲାଙ୍ଗିର ଏସ୍‌ପି ଅଭିଳାଷ ଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସଇଁତଲା ଥାନା ତେଣ୍ଡଲିପାଲି ଗାଁର ପିଣ୍ଟୁ ସାହୁ, ଚଟିଆପଡାର ବିଦ୍ୟା ଶଙ୍କର ସାହୁ, ସାଗରପାଲି ଗାଁର ପିଣ୍ଟୁ ସାହୁ, ଟୁର୍ଚ୍ଚାଉପେର ଗାଁର ଚିନ୍ତାମଣି ସାହୁ ଓ ଜଣେ ନାବାଳକକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ପୂର୍ବରୁ ଡ୍ରାଇଭର ଯୋଜନା କରି ଷଡ଼ଯନ୍ତ୍ର ରଚିଥିଲା । ଶେଷରେ ଆଜି ଗିରଫ ହୋଇଛି । ସୂଚନା ମତେ ସଇଁତଲା ଥାନା ଡ଼ୁମେରମୁଣ୍ଡା ଗାଁର ବ୍ୟାଙ୍କ କର୍ମଚାରୀ ପାଣ୍ଡବ ପଧାନଙ୍କ ପରିବାର ଲୋକେ କାର୍‌ରେ ବଲାଙ୍ଗିରରୁ ଫେରୁଥିବା ବେଳେ କାର ଗାଡିକୁ ଅଟକାଇ ବନ୍ଧୁକ ଦେଖାଇ ରାସ୍ତା ଉପରୁ ଲୁଟି ନେଇଥିଲେ । ଏକ ଗାଡିରେ ୩ ଜଣ ଦୃବୃତ୍ତ ମୁହଁରେ ଧଳା ଗାମୁଛା ଢାଙ୍କି ଗାଡିଟିକୁ ଅଟକାଇ ଲୁଟି ନେଇ ଥିବା ଜଣାପଡିଥିଲା । ୨ ଲକ୍ଷରୁ ଅଧିକ ଟଙ୍କା ସୁନାର ମୂଲ୍ୟ ହେବ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ମାନଙ୍କ ଠାରୁ ସୁନା ଗହଣା ପୋଲିସ ଉଦ୍ଧାର କରିଥିବା ବେଳେ ପରିବାର ଲୋକେ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.