ନୂଆଦିଲ୍ଲୀ, (ପିଆଇବି) : ବଜେଟ ଅଧିବେଶନ ପ୍ରାରମ୍ଭରୁ ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଣାମ ଜଣାଇଛନ୍ତି । ଏହି ଅବସରରେ ଶତାବ୍ଦୀ ଶତାବ୍ଦୀ ଧରି ମା ଲକ୍ଷ୍ମୀଙ୍କୁ ମନେ ପକାଯାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମା ଲକ୍ଷ୍ମୀ ଆମକୁ ସଫଳତା, ଧନ ଓ ସିଦ୍ଧି ଦେଇଥାନ୍ତି । ମା ଲକ୍ଷ୍ମୀଙ୍କ କୃପାରୁ ଏହି ଦେଶର ପ୍ରତି ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକେ ଉପକୃତ ହୋଇଥାନ୍ତି ବୋଲି ସେ କହିଛନ୍ତି । ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ପ୍ରତି ନାଗରିକଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗଣତାନ୍ତ୍ରିକ ବିଶ୍ୱରେ ଭାରତର ଏହି ଶକ୍ତି ଦେଶ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ପକ୍କା କରିପାରିଛି । ତୃତୀୟ ଥର ପାଇଁ ଏହି ଦେଶର ନାଗରିକ ତାଙ୍କୁ ଏହି ଦାୟିତ୍ୱଭାର ଦେଇଥିବାରୁ ସେ ବିଶେଷ କୃତଜ୍ଞ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ତୃତୀୟଥର ପାଇଁ ଏହା ଏକ ପୂର୍ଣ୍ଣାଙ୍ଗ ବଜେଟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୪୭ରେ ଯେତେବେଳେ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପାଳନ କରିବ ସେବେ ଏହା ସମ୍ପୂର୍ଣ୍ଣ ବିକଶିତ ହୋଇସାରିଥିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଚଳିତ ବଜେଟ ଦେଶବାସୀଙ୍କ ଭିତରେ ଏକ ନୂଆ ଊର୍ଜା ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାମୂହିକ ଉଦ୍ୟମରେ ପାରିତ ହୋଇଥିବା ପ୍ରସ୍ତାବକୁ ଦେଶର ୧୪୦ କୋଟି ଲୋକେ ଚରିତାର୍ଥ କରିବେ ବୋଲି ଆଶା ଓ ବିଶ୍ୱାସ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ତୃତୀୟ ପାଳିରେ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଚେଷ୍ଟା କରୁଥିବା ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ଭୌଗୋଳିକ, ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ଏକ ମିଶନ ମୋଡରେ ଦେଶ ଅଗ୍ରଗତି କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶର ଅର୍ଥନୈତିକ ପ୍ରଗତି ପଥରେ ପ୍ରସ୍ତୁତ କରାଯାଇଥିବା ରୋଡମ୍ୟାପକୁ ସାକାର ରୂପ ଦେବା ପାଇଁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ କରାଯାଉଥିବା ମୋଦୀ କହିଛନ୍ତି । ସବୁଥର ପରି ଚଳିତ ଅଧିବେଶନ ବହୁ ଐତିହାସିକ ଦିନ ଦେଖିବ । ଆସନ୍ତାକାଲି ସଦନରେ ବଜେଟ ନେଇ ଆଲୋଚନା କରାଯିବ । ସବୁ ଆଲୋଚନା, ପ୍ରତ୍ୟାଲୋଚନା ପରେ ଦେଶର ହିତ ପାଇଁ ଆଇନ ପ୍ରଣୟନ କରାଯିବ । ନାରୀଶକ୍ତି ଜାଗରଣ ଅଧୀନରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦେଶର ପ୍ରତି ମହିଳାଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ଭାବରେ ଜୀବନ ଅତିବାହିତ କରିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯିବ । ଚଳିତ ଅଧିବେଶନରେ ଏନେଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବ । ସଂସ୍କାର, କାର୍ଯ୍ୟାନ୍ୱୟନ, ପରିବର୍ତ୍ତନକୁ ସରକାର ବିଶେଷ ପ୍ରାଧାନ୍ୟ ଦେବେ । ବିକାଶ ପ୍ରସଙ୍ଗରେ ସଂସ୍କାରକୁ ବିଶେଷ ଫୋକସ କରାଯିବ । ସାଧାରଣ ଲୋକଙ୍କ ସହଭାଗିତାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରିବେ । ଯୁବଶକ୍ତିକୁ ନେଇ ଆମ ଦେଶ ଭାରତ ପରିଚାଳିତ । ୨୦-୨୫ ବର୍ଷର ଯୁବକ ୪୫-୫୦ ବର୍ଷରେ ପହଂଚିବା ବେଳକୁ ବିକଶିତ ଭାରତ ପାଇଁ ଏକ ନିର୍ଭରଯୋଗ୍ୟ ମାନବ ସମ୍ବଳ ଭାବରେ ପରିଗଣିତ ହୋଇପାରିବେ । ବିଭିନ୍ନ ଯୋଜନା ପ୍ରଣୟନ କ୍ଷେତ୍ରରେ ଯୁବକମାନେ ଏକ ଦାୟିତ୍ୱସମ୍ପନ୍ନ ଭୂମିକା ନିର୍ବାହ କରିପାରିବେ । ବିକଶିତ ଭାରତ ନିର୍ମାଣ ଦିଗରେ ଆଜିର ଯୁବଶକ୍ତି ସେତେବେଳକୁ ନିଜ ଦାୟିତ୍ୱକୁ ସୁଚାରୂ ରୂପେ ସମ୍ପାଦନ କରିପାରିବେ । ୧୯୩୦ ଓ ୧୯୪୨ ବେଳକୁ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଯୁବକମାନେ ୨୫ ବର୍ଷ ପରେ ଏହାର ସୁଫଳ ପାଇପାରିଲେ । ଗତ ୨୫ ବର୍ଷ ଧରି କରିଥିବା ସଂଗ୍ରାମ ଫଳରେ ଦେଶ ଏକ ଉନ୍ନତ ସୋପାନରେ ପହଂଚିପାରିଛି । ତେଣୁ ଚଳିତ ବଜେଟ ଅଧିବେଶନରେ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସବୁ ସାଂସଦ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ସଦନରେ ସବୁ ସାଂସଦମାନଙ୍କ ସକ୍ରିୟ ଅଂଶଗ୍ରହଣ ଦେଶକୁ ବିକଶିତ କରିପାରିବ । ତେଣୁ ଯୁବ ସାଂସଦମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୧୪ ପରଠାରୁ ସଂସଦର ଏହା ପ୍ରଥମ ଅଧିବେଶନ ଯେଉଁଠି ଦିନେ ଦୁଇ ଦିନ ପୂର୍ବରୁ କୌଣସି ବିଦେଶୀ ପ୍ରଭାବ ରହିଥିବା ଦେଖିବାକୁ ମିଳିନାହିଁ । ଗତ ଦଶ ବର୍ଷ ହେଲା ସଂସଦରେ କିଛି ନା କିଛି ବ୍ୟତିକ୍ରମ ଦୃଷ୍ଟି ଗୋଚର ହୋଇଥାଏ । ହେଲେ ପ୍ରଥମଥର ପାଇଁ ଚଳିତ ଅଧିବେଶନରେ ଏହା ପରିଲକ୍ଷିତ ହୋଇନଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
Prev Post