ଉପମୁଖ୍ୟମନ୍ତ୍ରୀଙ୍କ ଉପରେ ୨ ହଜାର ଟଙ୍କା ଜରିମାନା କଲେ ହାଇକୋର୍ଟ
କଟକ : ପାଟଣାଗଡ଼ ବିଧାନସଭା ନିର୍ବାଚନ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପାଟଣାଗଡ଼ ବିଧାନସଭା ନିର୍ବାଚନ ମାମଲାରେ ଧାର୍ଯ୍ୟ ସମୟ ମଧ୍ୟରେ ଜବାବ ଦାଖଲ କରିନପାରିବାରୁ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପରେ ହାଇକୋର୍ଟ ୨ହଜାର ଟଙ୍କା ଜରିମାନା କରିଛନ୍ତି ବୋଲି ଖବର ମିଳିଛି । ତେବେ ଏହି ଜରିମାନା ଅର୍ଥ ହାଇକୋର୍ଟ ବାର୍ ଆଇନଜୀବୀ କଲ୍ୟାଣ ପାଣ୍ଠିରେ ଜମା କରାଯିବ । ପାଟଣାଗଡ଼ ବିଧାନସଭା ଆସନର ପରାଜିତ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ଏହି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ପକ୍ଷରୁ ଜବାବ ଦାଖଲ ଲାଗି ଅଦାଲତଙ୍କ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା । ହାଇକୋର୍ଟ ପ୍ରାର୍ଥନାକୁ ଗ୍ରହଣ କରି ଜବାବ ଦାଖଲ ଲାଗି ଅନୁମତି ଦେଇଥିଲେ ମଧ୍ୟ ବିଳମ୍ବ ପାଇଁ ୨ ହଜାର ଟଙ୍କା ଜରିମାନା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ଶୁଣାଣିରେ ଇସ୍ୟୁ ଫ୍ରେମ୍ କରଯିବ । ଅର୍ଥାତ କେଉଁସବୁ ପ୍ରସଙ୍ଗକୁ ନେଇ ମାମଲାର ଶୁଣାଣି ହେବ ତାହା ଧାର୍ଯ୍ୟ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବା ନେଇ ଶ୍ରୀ ମେହେର ତାଙ୍କ ପିଟିସନ୍ରେ ଅଭିଯୋଗ କରିଛନ୍ତି । ତେଣୁ ବିଧାୟକ ଭାବେ ଶ୍ରୀ ସିଂହଦେଓଙ୍କ ବିଜୟକୁ ଅସିଦ୍ଧ ଘୋଷଣା କରିବାକୁ ସେ ପ୍ରାର୍ଥନା କରିଛନ୍ତି । ଏହି ମାମଲାରେ ହାଇକୋର୍ଟ ଉପମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଥିଲେ । କିନ୍ତୁ ବିଳମ୍ବରେ ଜବାବ ରଖିବାରୁ ହାଇକୋର୍ଟ ଏହି ଜରିମାନା କରିଛନ୍ତି । ସରୋଜ କୁମାର ମେହେରଙ୍କ ପକ୍ଷରୁ ଆଇନଜୀବୀ ଏନ୍. ଅଗ୍ରୱାଲ ମାମଲା ପରିଚାଳନା କରୁଥିବା ଜଣାପଡ଼ିଛି ।