ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାରେ ‘ତ୍ରିରଙ୍ଗା ପଦଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ

• ଆଦର୍ଶ, ସମର୍ପଣ ଓ ପ୍ରେରଣାର ତୀର୍ଥସ୍ଥଳ ହେବ ଖିଣ୍ଡା ଗ୍ରାମ- ଧର୍ମେନ୍ଦ୍ର ପ୍ରଧାନ
• ସମ୍ବଲପୁରର ବିଭିନ୍ନ ସ୍ଥାନରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କେନ୍ଦ୍ରମନ୍ତ୍ରୀ
• ଖିଣ୍ଡାରେ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେଲେ ଜନତା ଓ କାର୍ଯ୍ୟକର୍ତ୍ତା, ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ
• କୁଦୋପାଲି ଘଟଣା ଡିସେମ୍ବର ୩୦ରୁ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଜାନୁଆରୀ ୨୩ ଯାଏଁ ସଂଗ୍ରାମୀମାନଙ୍କ ସ୍ମୃତିଚାରଣ ପାଇଁ ଉତ୍ସବ ପାଳନ କରିବାକୁ ଯୋଜନା କରିବା
• ବୀର ସୁରେନ୍ଦ୍ର ସାଏଙ୍କ ନାମରେ ସମ୍ବଲପୁର ଜିଲ୍ଲାପାଳଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କଲେ ଖିଣ୍ଡା ଗ୍ରାମର ଚାଷୀ ଯଦୁମଣି ସାହୁ, ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ
• ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିରେ ଏକ ପାଣ୍ଠି ଗଠନ କରି ତାହାକୁ ଛାତ୍ରବୃତ୍ତି ମାଧ୍ୟମରେ ଖିଣ୍ଡା ଗ୍ରାମର ଛାତ୍ରଛାତ୍ରୀଙ୍କୁ ଦେବା ପାଇଁ ପରାମର୍ଶ
• ସମାଜର ସବୁ ବର୍ଗର ଲୋକଙ୍କୁ ଏକାଠି କରି ବୀର ସୁରେନ୍ଦ୍ର ସାଏଙ୍କ ଆଦର୍ଶକୁ ଆଗେଇ ନେବା, ଆମ ସମସ୍ତଙ୍କ ସଂକଳ୍ପ ହେଉ

ସମ୍ବଲପୁର, (ପିଆଇବି) : ପବିତ୍ର ଖିଣ୍ଡା ମାଟି ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପାଇଁ ଗର୍ବିତ । ତାଙ୍କ ପରି ଅଦ୍ୱିତୀୟ ନେତୃତ୍ୱଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଦେବା ପାଇଁ ଖିଣ୍ଡା ଗ୍ରାମକୁ ଭାରତ ସରକାର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଆଦର୍ଶ, ସମର୍ପଣ ଓ ପ୍ରେରଣାର ତୀର୍ଥସ୍ଥଳ କରାଯିବ । ସାମୂହିକ ଉଦ୍ୟମରେ ଖିଣ୍ଡା ଗ୍ରାମକୁ ଆଧୁନିକ ଗ୍ରାମ କରିବା ପାଇଁ ଯୋଜନା କରାଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଓଡ଼ିଶା ମାଟିର ଗୌରବ ବୀର ସୁରେନ୍ଦ୍ର ସାଏଙ୍କ ୨୧୭ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ତାଙ୍କ ଜନ୍ମସ୍ଥାନ ସମ୍ବଲପୁର ଖିଣ୍ଡାରେ ଆୟୋଜିତ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ସାମିଲ ହୋଇଥିଲେ । ଖିଣ୍ଡା ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶକୁ ସ୍ୱାଧୀନତା ଦେବାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଅତୁଳନୀୟ । ଆଜି ଭଳି ପବିତ୍ର ଦିନରେ ମହାପୁରୁଷ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟିକୁ ଆସି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି । ୨୧୭ ବର୍ଷ ପୂର୍ବେ ଉନ୍ନବିଂଶ ଶତାବ୍ଦୀରେ ଏହି ଖିଣ୍ଡା ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ । ଯୁବାବସ୍ଥାରୁ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ ତାଙ୍କର ମାତୃଭୂମି ପ୍ରତି ଥିବା ଭଲ ପାଇବାକୁ ପ୍ରତିଫଳିତ କରୁଛି । ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ହେଉଛନ୍ତି ଓଡ଼ିଆ ଜାତିର ଅନ୍ୟତମ ପରିଚୟ । ବୀର ସୁରେନ୍ଦ୍ର ସାଏ ତାଙ୍କ ଭାଇ ଧ୍ରୁବ ସାଏ, ଉଜ୍ୱଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ ଏବଂ ପରିବାର ସଦସ୍ୟଙ୍କ ସହଯୋଗରେ ବ୍ରିଟିଶ ଆଗରେ ମୁଣ୍ଡ ନ ନୁଆଁଇ ସେମାନଙ୍କ ସହ ସଂଘର୍ଷ କରିଥିଲେ, ଯେଉଁଥିପାଇଁ ତାଙ୍କୁ ହଜାରିବାଗ ଏବଂ ପରବର୍ତ୍ତୀ ଅବସ୍ଥାରେ ଆସିରଗଡ ଦୁର୍ଗରେ ଜେଲ୍ ଦଣ୍ଡାଦେଶ ଭୋଗିବାକୁ ପଡିଥିଲା । ସମ୍ପୂର୍ଣ୍ଣ ପରିବାରର ବଳିଦାନ କାରଣରୁ ଆମ ଦେଶ ସ୍ୱାଧୀନତା ପାଇଛି । ବୀର ସୁରେନ୍ଦ୍ର ସାଏଙ୍କ ଭାଇ ଉଦନ୍ତ ସାଏ ଜୀବନର ୪୭ ବର୍ଷ କାରାଗରରେ ବିତାଇଥିଲେ, ଯାହା ବିରଳ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଏହି ଅଜଣା ନାୟକମାନଙ୍କୁ ବିଶ୍ୱସ୍ତରକୁ ନେବାର ସମୟ ଆସିଛି । ସମ୍ବଲପୁର ହେଉ କିମ୍ବା ଝାରସୁଗୁଡ଼ା, ପ୍ରତି ଗାଁରେ ଲୋକମାନେ ଇଂରେଜଙ୍କ ବିରୋଧରେ ଏକାଠି ହୋଇ ଦେଶ ପାଇଁ ଥିବା ସମର୍ପଣ ଭାବନାର ପ୍ରମାଣ ଦେଇଛନ୍ତି । ଏହି ଭୂମିରେ ବୀର ସୁରେନ୍ଦ୍ର ସାଏ ‘ଉଲଗୁଲାନ୍’ (ବିପ୍ଳବ) ମଧ୍ୟ ଆରମ୍ଭ କରିଥିଲେ । ସେଭଳି ଜଣେ ଅଦ୍ୱିତୀୟ ସଂଗ୍ରାମୀଙ୍କ ଜନ୍ମମାଟି ଖିଣ୍ଡା ଗ୍ରାମକୁ ଆଦର୍ଶ ଗାଁରେ ପରିଣତ କରିବା ପାଇଁ ଆମେ ସମସ୍ତେ ଯୋଜନା କରିବା ଦରକାର । ସମାଜର ସବୁ ବର୍ଗର ଲୋକଙ୍କୁ ଏକାଠି କରି ବୀର ସୁରେନ୍ଦ୍ର ସାଏଙ୍କ ଆଦର୍ଶକୁ ଆଗେଇ ନେବା, ଆମ ସମସ୍ତଙ୍କ ସଂକଳ୍ପ ହେବା ଦରକାର । ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟି ଦାୟିତ୍ୱରେ ଥିବା ତୁଙ୍ଗବୀର ଛବିଳ ସାଏ ବ୍ରିଟିଶ ମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ସେ ଏବଂ ତାଙ୍କର ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା । ୨୩ ଜାନୁଆରୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ । ଏହି ସମୟ ଅବଧିରେ ତଥା ଡିସେମ୍ବର ୩୦ରୁ ଜାନୁଆରୀ ୨୩ ପର୍ଯ୍ୟନ୍ତ ଭାରତ ସରକାର ଓ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଏକ ଉତ୍ସବ କରି ବୀର ସୁରେନ୍ଦ୍ର ସାଏଙ୍କ ତ୍ୟାଗ ଓ ବଳିଦାନନକୁ ପୁନର୍ଜୀବିତ କରାଯିବା ଦରକାର । ସେ କହିଛନ୍ତି ଯେ ମୁଁ ଆଜିର ଦିନରେ ବହୁତ ପ୍ରଭାବିତ । ଏହି ଅଞ୍ଚଳର ଚାଷୀ ଯଦୁମଣି ସାହୁ ତାଙ୍କ ଚାଷ କାମରୁ ଉପାର୍ଜନ କରିଥିବା ୫୦ ହଜାର ଟଙ୍କା ବୀର ସୁରେନ୍ଦ୍ର ସାଏଙ୍କ ନାମରେ ସମ୍ବଲପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିରେ ଏକ ପାଣ୍ଠି ଗଠନ କରି ତାହାକୁ ଛାତ୍ରବୃତ୍ତି ମାଧ୍ୟମରେ ଖିଣ୍ଡା ଗ୍ରାମର ଛାତ୍ରଛାତ୍ରୀଙ୍କୁ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଭାରତର ସ୍ୱାଧୀନତା ସଂଗ୍ରାମରେ ବୀର ସୁରେନ୍ଦ୍ର ସାଏ ଅଦମ୍ୟ ସାହସ ଦେଖାଇବା ସହ ଅଧିକ ସମୟ କାରାଗାରରେ ସମୟ ବିତାଇଥିଲେ ଓ ଶେଷରେ ଦେଶ ମାତୃକାର ସେବା ପାଇଁ ବଳିଦାନ ଦେଇଥିଲେ । ତାଙ୍କ ପରି ମହାନ ବିପ୍ଳବୀଙ୍କୁ ଆଜିର ଦିନରେ ମନେ ପକାଇବା ଆମ ସମସ୍ତଙ୍କ ପାଇଁ ଏକ ଗୌରବର ଅବସର । ତାଙ୍କର ନିଷ୍ଠା ଓ ସାହସ ଓଡିଶାର ଯୁବପିଢିଙ୍କୁ ଯୁଗ ଯୁଗ ଧରି ଅନୁପ୍ରାଣିତ କରୁଥିବ, ଏଥିରେ ସନ୍ଦେହ ନାହିଁ । ଉଲ୍ଲଖନୀୟ ଯେ, ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ପରାକ୍ରମ ଦିବସ ଅବସରରେ ସମ୍ବଲପୁରର ବିଭିନ୍ନ ସ୍ଥାନରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.