ମହାପ୍ରୟାଣ ଗାଡ଼ି ନମିଳିବାରୁ ୬ ଘଣ୍ଟା ପଡ଼ିରହିଲା ଶବ

ବୌଦ୍ଧ, (କେପିଏନ୍‌ଏସ୍‌) : ନାହିଁ ନାହିଁରେ ଚାଲିଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । କେତେବେଳେ ବେଡ୍ ସମସ୍ୟା ହେଉକି ଆଉ କେତେବେଳେ ଡାକ୍ତର ସମସ୍ୟା । ବାଉଁଶୁଣି ଡାକ୍ତରଖାନାରେ ଏମିତି ଅନେକ ସମସ୍ୟା ରହିଥିବାରୁ ବାଉଁଶୁଣି ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ଯାହାକି ବୁଧବାର ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ବରଗୋଛା ପଞ୍ଚାୟତ ଅନ୍ତର୍ଗତ ଚଉରାବାହାଲ ଗ୍ରାମର ଅଚ୍ୟୁତ ବାରିକଙ୍କ ନାବାଳିକା ଝିଅ ରିଶ୍ମା ବାରିକ(୧୭)ଙ୍କ ଦେହ ଖରାପ ଥିବାରୁ ଆଜି ସକାଳ ୮ ଘଣ୍ଟା ସମୟରେ ବାଉଁଶୁଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ବାଉଁଶୁଣି ପୋଲିସକୁ ଖବର ଦେଇଥିଲେ । ହେଲେ ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ଦୀର୍ଘ ୬ ଘଣ୍ଟା ଅପେକ୍ଷା କରି ଶବ ପାଖରେ ବାପା ମାଆ କାନ୍ଦୁଥିଲେ ମଧ୍ୟ ଡାକ୍ତରଖାନା ମହାପ୍ରୟାଣ ଗାଡ଼ିର ଡ୍ରାଇଭର ନଥିବା କହି ଅଟକାଇଥିବାରୁ ପରିବାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥିଲେ । କୌଣସି ବ୍ୟକ୍ତିଗତ ଶବ ଗାଡ଼ିରେ ଟଙ୍କା ଖର୍ଚ୍ଚ କରି ନେବାପାଇଁ ତାଙ୍କର ସାମର୍ଥ୍ୟ ନଥିବାରୁ ମେଡ଼ିକାଲ ପରିସରରେ ବାପା ମାଆ ଶବକୁ ଧରି କାନ୍ଦୁଥିଲେ । ଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଖବର ପାଇ ବାଉଁଶୁଣି ମେଡ଼ିକାଲରେ ପହଞ୍ଚିଥିଲେ । ଉକ୍ତ ଘଟଣା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରଶାସନ ତତ୍ପରତା ଦେଖାଇ ବୌଦ୍ଧରୁ ଏକ ମହାପ୍ରୟାଣ ଗାଡ଼ି ପଠାଇବା ପରେ ଶବ ଉଠିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.