କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ନିଖିଲ ଖଡ଼ସେ ଓଡ଼ିଶାର ଗଜପତି ଜିଲ୍ଲା ଗସ୍ତକରି ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ନିଖିଳ ଖଡସେ ଓଡ଼ିଶାର ଗଜପତି ଜିଲ୍ଲା ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ଏ ଅଂଚଳରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଗଜପତି ଜିଲ୍ଲାର ମୁନିସିଙ୍ଗ ଗସ୍ତବେଳେ ସେ ରବର ଚାଷରେ ନିୟୋଜିତ ଶ୍ରମିକଙ୍କୁ ଭେଟିବା ସହ ସେମାନଙ୍କ କାର୍ଯ୍ୟ ପରିସ୍ଥିତି ଓ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ସେ ମଧ୍ୟ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘ (ଜିପିଏଲ୍‌ଏଫ୍‌) ଓ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ସଦସ୍ୟମାନଙ୍କୁ ଭେଟିବା ସହ ସେମାନଙ୍କ ଦ୍ୱାରା ଚାଲିଥିବା କାର୍ଯ୍ୟ ଓ ସ୍ଥାନୀୟ ଅର୍ଥନୀତି ପ୍ରତି ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀମତୀ ଖଡସେ ତରନଗଡ଼ା ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିଦର୍ଶନ କରିଥିଲେ ଓ ଉକ୍ତ ଅଂଚଳରେ ଲୋକମାନଙ୍କୁ ମିଳୁଥିବା ସ୍ୱାସ୍ଥ୍ୟସେବା, ବିଶେଷକରି ଆୟୁଷ୍ମାନ ଭାରତ ପରି ସ୍ୱାସ୍ଥ୍ୟସେବା ସ୍କିମଗୁଡିକର କାର୍ଯ୍ୟକାରିତା ଅନୁଧ୍ୟାନ କରିଥିଲେ । ଏହାପରେ ରାଷ୍ଟ୍ରମନ୍ତ୍ରୀ ଅନୁକୁଣ୍ଡଗୁଡ଼ା ଯାଇ ଅଙ୍ଗନୱାଡ଼ି କର୍ମୀମାନଙ୍କ ସହ ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍‌) ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ସେ ଶିଶୁମାନଙ୍କ ସାମଗ୍ରୀକ ବିକାଶ ପାଇଁ ନବଯାତ ଶିଶୁଙ୍କ ଯତ୍ନ ଓ ପୋଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଗସ୍ତର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ରମନ୍ତ୍ରୀ ଗଜପତିର ସ୍ଥାନୀୟ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହ ଏକ ବୈଠକରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବିକାରେ ଗୁରୁତ୍ୱପୂର୍ଣ୍ଣ ଅଭାବକୁ ଦୂର କରି ଅନୁନ୍ନତ ଅଞ୍ଚଳରେ ବିକାଶକୁ ତ୍ୱରାନ୍ୱିତ କରିବା । ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଖଡସେ ବିକାଶ ଏଜେଣ୍ଡାକୁ ଆଗକୁ ବଢ଼ାଇବାରେ ସ୍ଥାନୀୟ ପ୍ରଶାସନ ଓ ଲୋକମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମର ସୁଫଳ ଯେପରି ଜିଲ୍ଲାର କୋଣ ଅନୁକୋଣରେ ପହଞ୍ଚିପାରିବ ସେଥିପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

Leave A Reply

Your email address will not be published.