ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ । ମଧ୍ୟ ରାତ୍ରରୁ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଅଞ୍ଚଳର ଗାଁ ଗହଳିରେ ଥିବା କ୍ୟାଥଲିକ, ବାପିଷ୍ଟ୍ , ସି.ଏନ୍.ଆଇ ଚର୍ଚ୍ଚ ଓ ଉପାସନା ଗୃହରେ ଖ୍ରୀଷ୍ଟ ବିଶ୍ୱାସୀ ଭିଡରେ ସମୂହ ପ୍ରାର୍ଥନା କରିବା ସହ ଏହି ପର୍ବ ବଡ଼ ଧୁମ୍ଧାମ୍ ଓ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯାଇଛି । ଏହି ପର୍ବ ପାଇଁ ଖ୍ରୀଷ୍ଟପ୍ରେମୀଙ୍କ ମଧ୍ୟରେ ଦେଖାଯାଇଛି ଖୁସି । ଚାରିଆଡ଼େ କେବଳ ଶାନ୍ତି, ସଦ୍ଭାବନା ଓ ମୈତ୍ରୀର ବାର୍ତ୍ତା ଦିଆଯାଇଛି । ଘରେ ଘରେ ଦେଖାଯାଇଛି ଉତ୍ସବ । ବାଇବେଲ ପଠନରେ ପ୍ରକମ୍ପିତ ହେଉଛି ଚର୍ଚ୍ଚ ଗୃହ । ଯୀଶୁଙ୍କ ଜନ୍ମ ଖୁସିରେ ସମସ୍ତ ଖ୍ରୀଷ୍ଟପ୍ରେମୀ ଶ୍ରଦ୍ଧାଳୁ ନୂଆ ପୋଷାକ ପରିଧାନ କରି କେକ୍ କାଟିବା ସହ ପିଠାପଣାର ଆସର ଜମିଛି । ଅନ୍ୟପକ୍ଷରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି । ଏହାକୁ ଖାତିର ନ କରି ପରିବାର ଲୋକଙ୍କ ସହ ପହଞ୍ଚି ଯାଇଛନ୍ତି ଖ୍ରୀଷ୍ଟ ଶ୍ରଦ୍ଧାଳୁ ଆଉ ସମସ୍ତେ ସାମିଲ ହୋଇ ନିଜ ପରିବାର ଓ ସମାଜରେ ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି । ଜିଲ୍ଲାର ବାଲିଗୁଡା, କ.ନୂଆଗାଁ, ରାଇକିଆ, ଜି. ଉଦୟଗିରି, ଦାରିଙ୍ଗବାଡି, ତୁମୁଡିବନ୍ଧ ଓ କୋଟଗଡ ବ୍ଲକର ସମସ୍ତ ପଞ୍ଚାୟତରେ ରହିଥିବା ଶତାଧିକ ଚର୍ଚ୍ଚ ଗୃହରେ ମଙ୍ଗଳବାର ସନ୍ଧ୍ୟା ସମୟରୁ ହିଁ ଗୀର୍ଜା ଓ ଉପାସନା ଗୃହ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଏବଂ ଗୀତନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରକମ୍ପିତ ହେଉଛି । ଶାନ୍ତିର ପ୍ରତୀକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବାର୍ତ୍ତାକୁ ଯାଜକମାନେ ଶ୍ରଦ୍ଧାଳୁଙ୍କୁ ଶୁଣାଇଥିଲେ । ବିଭିନ୍ନ ବ୍ଲକ ଅଞ୍ଚଳର ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ ତଥା ତହସିଲଦାର, ବିଡ଼ିଓ ଏବଂ ଥାନା ଅଧିକାରୀଙ୍କ ସମେତ ପ୍ରମୁଖ ଅଧିକାରୀ ମାନେ ବିଭିନ୍ନ ଚର୍ଚ୍ଚ, ଗୀର୍ଜା ଓ ଉପାସନା ଗୃହ ବୁଲି ଶାନ୍ତିଶୃଙ୍ଖଳାର ତଦାରଖ କରିଛନ୍ତି ।
Prev Post