- ସରଳା ଦେବୀ ଥିଲେ ନାରୀ ଜାଗରଣର ଅଗ୍ନି ସ୍ଫୁଲିଙ୍ଗ : ଡ଼ଃ ମିଶ୍ର
ରାଉରକେଲା, (ସସ୍ମିତା ପ୍ରଧାନ) : ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ ରାଉରକେଲା, ସରଳାଦେବୀ ସ୍ମୃତି ସଂସଦ କଟକ ଓ ଓଡ଼ିଆ ବିଭାଗ ରାଉରକେଲା କଲେଜ ରାଉରକେଲାର ମିଳିତ ଆନୁକୂଲ୍ୟରେ ଲୌହମାନବୀ ସରଳା ଦେବୀଙ୍କ ଜୀବନାଦର୍ଶ ସମ୍ପର୍କରେ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ତଥା ଆବାହକ କୁଞ୍ଜବିହାରୀ ରାଉତଙ୍କ ଆବାହକତ୍ଵ ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ କଲେଜର ଅଧ୍ୟକ୍ଷ ଡ଼ଃ ରବିନ୍ଦ୍ର କୁମାର ଜେନା ଉଦ୍ଘାଟକ, ମୁଖ୍ୟଅତିଥି ତଥା ମୁଖ୍ୟ ଆଲୋଚକ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ଼ଃ ଜ୍ଞାନୀ ଦେବାଶିଷ ମିଶ୍ର, ସମ୍ମାନିତ ଅତିଥି ଭାବେ ସରଳା ଦେବୀ ଭାଗିରଥୀ ମହାପାତ୍ର ଟ୍ରଷ୍ଟର ମୁଖ୍ୟ ଲକ୍ଷ୍ମୀପ୍ରକାଶ ମହାପାତ୍ର, କଲେଜର ଓଡ଼ିଆ ବିଭାଗର ମୁଖ୍ୟ ପ୍ରଧ୍ୟାପିକା ରଶ୍ମିପ୍ରଭା ମଥାନ, ସରଳା ଦେବୀ ସ୍ମୃତି ସଂସଦ ରାଉରକେଲାର ସଭାପତି ମୀନତି ଦେବତା ଓ ସମ୍ପାଦିକା ସସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇ ସରଳା ଦେବୀଙ୍କ ବିଭିନ୍ନ କାର୍ଯ୍ୟର ଦକ୍ଷତା ଓ ସମାଜ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡ଼ଃ ମିଶ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ସରଳା ଦେବୀ ହେଉଛନ୍ତି ମହିଳା ସଶକ୍ତିକରଣର ଅନ୍ୟ ଏକ ନାମ । ତତ୍କାଳୀନ ସମୟରେ ତାଙ୍କର ଲେଖନୀ ଚାଳନା, ଅବହେଳିତ ନାରୀ ସମାଜ ପାଇଁ ସ୍ୱର ଉତ୍ତୋଳନ, ରାଜନୀତିରେ ଯୋଗଦାନ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁୁ ବାସ୍ତବରେ ଲୌହମାନବୀ କୁହାଯାଏ । ସେ ଥିଲେ ସମଗ୍ର ନାରୀ ଜାତି ପାଇଁ ଅଗ୍ନି ସ୍ଫୁଲିଙ୍ଗ । ତାଙ୍କ ଲେଖନୀରେ ଥଲା ଜୀବନର ବାସ୍ତବତା । ଆଚରଣ ଓ ଉଚ୍ଚାରଣର ଅପୂର୍ବ ସମନ୍ଵୟ ତାଙ୍କୁ ନମସ୍ୟ କରି ରଖିଛି । ଅନ୍ୟ ସମସ୍ତ ଅତିଥି ସରଳା ଦେବୀଙ୍କ ଜୀବନାଦର୍ଶର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା କରିଥିଲେ । ଉଦ୍ଘାଟକ ଡ଼ଃ ଜେନା ସ୍ୱାଗତ ଭାଷଣ ସହ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ହୋଇପାରିବ ବୋଲି ମତ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସୌମ୍ୟରଞ୍ଜନ ମହାନ୍ତି, ଅପର୍ଣ୍ଣା ପାହାରୀ, ସୋନାଲି ମହାନନ୍ଦ ଓ ଲିପ୍ସା ବଳିଆର ସିଂହ ସରଳା ଦେବୀଙ୍କ ବିଭିନ୍ନ କ୍ଷେତ୍ରରେ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସୁନିଲ କୁମାର ନାୟକ, ଇଂ ସାଗର ମହାନ୍ତି, ଡ଼ଃ ମଧୁସ୍ମିତା ଧୁପାଳ, ନିରୁପମା ପତି, ସ୍ମୃତି ଲେଙ୍କା, ଅଜିତ ତିର୍କି, ଗୌରୀ କୁମ୍ଭାର, ହରେକୃଷ୍ଣ ନାୟକ, ରୂଦ୍ର ନାରାୟଣ ସ୍ୱାଇଁ ପ୍ରମୁଖଙ୍କୁ ବିଭିନ୍ନ ସମ୍ମାନରେ ଉତ୍ତରୀୟ, ମୋମେଣ୍ଟୋ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନ ତରଫରୁ ମୁଖ୍ୟ ଅତିଥି ଡଃ ମିଶ୍ରଙ୍କୁ ଭଜକୃଷ୍ଣ ସାରସ୍ଵତ ବିଦବତ୍ତା ସମ୍ମାନ ପ୍ରଦାନ କରାଯାଇଥିଲା । ଶେଷରେ ଅଧ୍ୟାପିକା ପ୍ରିୟଙ୍କା ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ବହୁ ସାହିତ୍ୟିକ ଓ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।