ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୭ତମ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ରାୟଙ୍କ ସଭାପତିତ୍ୱ ଓ ବରିଷ୍ଠ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେ ମୁଖ୍ୟଅତିଥି, ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଓ ବିଦ୍ୟୁତ କଲୋନୀ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସିଂହ ସମ୍ମାନିତ ଅତିଥି, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ କାନ୍ତକବିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଲକ୍ଷ୍ମୀକାନ୍ତଙ୍କ ରଚନାରେ ଦେଶ ଓ ଜାତିପ୍ରେମର ଝଲକ ଦେଖିବାକୁ ମିଳିଥାଏ । ଓଡ଼ିଆ ଜାତି ମଧ୍ୟରେ ନିକୃଷ୍ଟତାକୁ ଦୂର କରି ଦୃତ ଆତ୍ମବିଶ୍ଵାସ ଜଗାଇବା କାନ୍ତକବିଙ୍କ କବିତା ଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଓଡ଼ିଆ ମାନଙ୍କର ହଜିଯାଇଥିବା ଖ୍ୟାତି ଏବଂ ପୁରାତନ ପରମ୍ପରାକୁ ଫେରି ପାଇବାର ତଥା ମାତୃଭୂମି ଏବଂ ମାତୃଭାଷା ପ୍ରତି ପ୍ରେମ ଓ ଭକ୍ତିଭାବ ଜାଗ୍ରତ କରିବା ତାଙ୍କ କବିତାର ଅନ୍ୟ ଏକ ପ୍ରମୁଖ ଉଦ୍ଦେଶ୍ୟ । ବନ୍ଦେ ଉତ୍କଳ ଜନନୀ ଭଳି ଅନେକ କାଳଜୟୀ ସଂଗୀତର ସ୍ରଷ୍ଟା ତଥା ବୁଢାଶଙ୍ଖାରୀ ଗଳ୍ପ ଅବା ଜୀବନ ସଂଗୀତ କବିତା ପାଇଁ ସେ ପାଠକଙ୍କ ନିକଟରେ ଆଦୃତ ଥିଲେ । ଅତିଥି ମାନେ କାନ୍ତକବିଙ୍କୁ ଏକାଧାରରେ କବି, ସଂଗୀତକାର, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ ତଥା ଶିଶୁ ସାହିତ୍ୟିକ ଭାବେ ଅବହିତ କରିଥିଲେ । ପ୍ରାରମ୍ଭରେ ସଂଯୋଜକ ଶ୍ରୀମତୀ ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହାପରେ ବିଦ୍ୟାଳୟର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସହ ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହି ଅବସରରେ ଛାତ୍ର ସୋନୁ ଶର୍ମା ଲକ୍ଷ୍ମୀକାନ୍ତଙ୍କ ଜୀବନୀ ସମ୍ପର୍କରେ ଓ ସମ୍ମାନିତ ଅତିଥି ଶ୍ରୀ ସିଂହ କବିଙ୍କ ଏକ ମାର୍ମିକ କବିତା ଗାନ କରିଥିଲେ । ସେହିପରି ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥବା ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସଭାପତି ଶ୍ରୀମତୀ ରାୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ସଞ୍ଜୁଲତା ଚିନ୍ନରା, ଶିକ୍ଷକ ଅମର କୁମାର ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।