ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରିଟୀଶ୍ – ଶାସନ ଅମଳର ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ମୁଖ୍ୟ ରେଳଷ୍ଟେସନର ଉନ୍ନତି ଦିଗରେ ଉନ୍ନୟନ କମିଟୀର ଏକ ଜରୁରୀ କାଳୀନ ବୈଠକ ଶୁକ୍ରବାର ଷ୍ଟେସନ୍ ମ୍ୟାନେଜରଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ମୋହନ୍ ଚନ୍ଦ୍ର ବେହେରା, ସି.ଏମ୍.ଆଇ. (ବ୍ରହ୍ମପୁର) ବରିଷ୍ଠ ଷ୍ଟେସନ୍ ମ୍ୟାନେଜର ଜଗଦୀଶ ବେହେରା, ରାମଚନ୍ଦ୍ର ପଟ୍ଟନାୟକ, ଆଡଭୋକେଟ ବି.ଶ୍ରୀନିବାସ, ସୁଧୀର କାନ୍ତ ରଥ, ସ୍ଥାନୀୟ କାଉନସିଲର ମାମା ସେଠୀ, ସୟେଦ ମୁକ୍ତାର୍ ପ୍ରମୁଖ ସଦସ୍ୟ ମଣ୍ଡଳୀଙ୍କ ସମେତ ରେଳବାଇ ଅଧିକାରୀ ପ୍ରମୁଖ ଯୋଗଦେଇ ରେଳ ଷ୍ଟେସନ୍ର ସମସ୍ୟାକୁ ଗୁରୁତ୍ୱ ପ୍ରଦାନ କରିବା ନିମିତ୍ତ ଆଲୋଚନା କରିଥିଲେ । ଅଧୁନା ଏହି ରେଳ ଷ୍ଟେସନର ରୂପାନ୍ତରୀଣ ହେବା ଆଶା ପ୍ରକଟ ହୋଇଛି । ବ୍ରିଟୀଶ୍ – ଶାସନ ଅମଳର ଛତ୍ରପୁର ମୁଖ୍ୟ ରେଳଷ୍ଟେସନର ମୁଖ୍ୟତଃ ରେଳ ଷ୍ଟେସନ୍ ଉପରେ ଗଢ଼ି ଉଠିଥିବା ପ୍ଲାଟଫର୍ମର ଲମ୍ବା ଖୁବ୍ କମ୍, ଯାହାକି ଯେଉଁଠି ଆରମ୍ଭ ଓ ଶେଷ ହୋଇଛି । ସେଇଠି ପ୍ଲାଟଫର୍ମ ୨ ପଟ୍ଟକୁ ବଙ୍କା ହୋଇଥିବା ହେତୁ ରେଳ ଷ୍ଟେସନ୍ର ଉନ୍ନତି ଦିଗରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ପ୍ଲାଟଫର୍ମ ଲମ୍ବା ଖୁବ୍ କମ୍ ହେବାରୁ ଦୂରତ୍ତମ ଏକ୍ସପ୍ରେସ ଟ୍ରେନ୍ ଗୁଡ଼ିକର ଅନେକ ବଗି ଗୁଡ଼ିକ ପଛରେ ରହିଯାଉଛି । ଯାହା ଫଳରେ ଅନେକ ଯାତ୍ରୀମାନେ ଟ୍ରେନ୍ରୁ ଓହ୍ଲାଇଲା ବେଳେ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି । ତେବେ ଏହି ମୁଖ୍ୟ ସମସ୍ୟା ହେତୁ ରେଳ ପ୍ଲାଟଫର୍ମ ଗୁଡିକର ସମ୍ପ୍ରସାରଣ ବୃଦ୍ଧି କରିବା, ସୁନ୍ଦର ସ୍ୱଚ୍ଛତା ଆଲୋକିକରଣ, ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା, ବାଲିବଗଡ ଓ ରିକାପଲ୍ଲୀ ରେଳବାଇ ମୁଖ୍ୟ ଫାଟକ ନିକଟରେ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ କରିବା, ବ୍ରହ୍ମପୁର ପର୍ଯ୍ୟନ୍ତ ଆସୁଥିବା ଟ୍ରେନଗୁଡ଼ିକୁ କେତୋଟି ଛତ୍ରପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ଫଲ୍କାନାମା ଟ୍ରେନ୍ ରହଣୀ, ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ରହଣୀ, ରେଳ ଷ୍ଟେସନ୍ ଆରପଟକୁ ବ୍ରିଜ୍ ନିର୍ମାଣ କରିବା, ରିଜର୍ଭଏସନ୍ ଟିକେଟ ବୁକିଂ କାଉଣ୍ଟରର ଖୋଲିବା ସମୟ ସୀମା ବୃଦ୍ଧି କରିବା, ରେଳ ଷ୍ଟେସନ୍ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକା କଡ଼ାକଡ଼ି କରିବା ଆଦି ଅନେକ ଗୁଡ଼ିଏ ଦାବୀ ଉପସ୍ଥାପନା ହୋଇ ତାହାକୁ ଖୁବ୍ ଶୀଘ୍ର ତ୍ଵରାନିତ କରିବା ବିକାଶ ଦିଗରେ ଆଲୋଚନା ହୋଇଥିଲା । ସହରୀ ବାସିନ୍ଦାଙ୍କ ସ୍ୱାର୍ଥ ଦୃଷ୍ଟିରୁ ଲୋକଙ୍କ ପାଇଁ ସ୍ଥାପନା ହୋଇଥିବା କୋର୍ଟ ଷ୍ଟେସନର ଆନୁଷଙ୍ଗିକ ବ୍ୟବସ୍ଥାରେ ସୁଧାର ଆଣିବାକୁ କୁହାଯାଇଛି । ଯାହାକି ଏହି ଛୋଟ ଷ୍ଟେସନ୍ ସହ ପ୍ରଶାସନିକ ଦପ୍ତରାଞ୍ଚଳକୁ ସଂଯୋଗ ରହିଛି । କୋର୍ଟ ଷ୍ଟେସନ୍ ଏବଂ ମୁଖ୍ୟ ରେଳ ଷ୍ଟେସନ୍ ଅଦ୍ୟାବଧି ଚିର ଅବହେଳିତ ଅବସ୍ଥାରେ ପଡ଼ିରହିଛି । ରେଳ ଷ୍ଟେସନ୍ର ପ୍ଲାଟଫର୍ମ ସମ୍ପ୍ରସାରଣ ସାଂଗକୁ ବହୁ ସମସ୍ୟାକୁ ଆଲୋକପାତ କରି ରେଳ ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରଯାଇଛି ।
Next Post