ରାଉରକେଲା, (ସସ୍ମିତା ପ୍ରଧାନ) : ସାରା ଦେଶରେ ନଭେମ୍ବର ୧୬ ତାରିଖ ଦିନ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଏହି ଦିନ ଭାରତୀୟ ଗଣମାଧ୍ୟମ ପରିଷଦ ବା ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ଗଠିତ ହୋଇଥିବାରୁ ଏହିଦିନଟିକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଇଥାଏ । ଏହି କ୍ରମରେ ରାଉରକେଲା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ସହରର ଉଦିତ ନଗର ସ୍ଥିତ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଗଣମାଧ୍ୟମ ସର୍ବଦା ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିଥାଏ । ତେଣୁ ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ପାରସ୍ପରିକ ସହଯୋଗ ସ୍ଥାପନା ନିମନ୍ତେ ମୁଖ୍ୟ ଅତିଥି ଆହ୍ୱାନ ଦେଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ପାନପୋଷ ଉପଖଣ୍ଡ କୃଷି ଅଧିକାରୀ ଜି. ଜୟନ ଯୋଗଦେଇ ପ୍ରେସ୍ ଦିବସ ଉପଲକ୍ଷେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ସହିତ ଆସନ୍ତା ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସମ୍ପର୍କରେ ପ୍ରଚାର ଓ ପ୍ରସାର ନିମନ୍ତେ ଅନୁରୋଧ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ପୌରହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମର ସଞ୍ଚାଳନ ଓ ସଂଯୋଜନା ସାମ୍ବାଦିକ ମହେନ୍ଦ୍ର ମିଶ୍ର କରିଥିଲେ । ଶ୍ରୀମତୀ ଏକ୍କା ଏହି ଅବସରରେ ରାଉରକେଲା ସୂଚନା ଓ ଲୋକ ସମ୍ପର୍କ ଜିଲ୍ଲାର ସାମ୍ବାଦିକମାନଙ୍କ ସମ୍ପର୍କରେ ସୂଚନା ଦେବା ସହ ପ୍ରଶାସନ ସହିତ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ‘ଗଣମାଧ୍ୟମର ପରିବର୍ତ୍ତିତ ସ୍ୱରୂପ’ ଶୀର୍ଷକ ଆଲୋଚନାରେ ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା, ନିଗମାନନ୍ଦ ଦାସ, ବିବେକାନନ୍ଦ ଦାସ,ଦେବ ପଟ୍ଟନାୟକ, ଚିତ୍ତରଞ୍ଜନ ବ୍ରହ୍ମା ପ୍ରମୁଖଙ୍କ ସମେତ ପବନ ତିୱାରୀ ନିଜର ଅନୁଭୁତି ଓ ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ବକ୍ତାମାନେ ସାମ୍ପ୍ରତିକ ସମୟରେ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନର ଅଭିବୃଦ୍ଧି ସହିତ ଗଣମାଧ୍ୟମର ସ୍ୱରୂପ ପରିବର୍ତ୍ତନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ବଣାଇ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଭିନ୍ନ ସମ୍ବାଦପତ୍ର ସମ୍ବଳିତ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରାୟ ୫୦ଟି ସମ୍ବାଦପତ୍ର ଓ ପତ୍ରିକା ସ୍ଥାନ ପାଇଥିଲା । ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୁନନ୍ଦା ଦତ୍ତ, ସୌମ୍ୟରଞ୍ଜନ ପରିଡ଼ା, ପ୍ରଦୀପ ମଲ୍ଲିକ, ଭୁମା ଅହିର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।