centurian jitm

ଓଡ଼ିଶା ପରିବେଶ କଂଗ୍ରେସର ୧୫ତମ ଅଧିବେଶନ ଅବସରରେ ‘ପରିବେଶ ଓ ବେଳାଭୂମି’ ସଂକ୍ରାନ୍ତୀୟ ଆଲୋଚନାଚକ୍ର ଡିସେମ୍ବର ୨୦, ୨୧ ଓ ୨୨ ତିନିଦିନ ଧରି ଅନୁଷ୍ଠିତ ହେବ

nschool

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ପରିବେଶ କଂଗ୍ରେସର ୧୫ ତମ ଅଧିବେଶନ ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ‘ପରିବେଶ ଓ ବେଳାଭୂମି’ ସଂକ୍ରାନ୍ତୀୟ ଏକ ଆଲୋଚନା ଚକ୍ର ଡିସେମ୍ବର ମାସ ୨୦ରୁ ୨୧ ତାରିଖ ଓ ୨୨ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହା ଅନୁଷ୍ଠିତ ହେବ । ଗତକାଲି ଅପରାହ୍ନରେ ବିଶ୍ଵବିଦ୍ୟାଳୟର ସିଣ୍ଡିକେଟହଲ୍‌ରେ ଅନୁଷ୍ଠିତ ବୈଠକରେ ଏହାର ଚୁଡାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି । ଏଥିରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ ଅଧ୍ୟକ୍ଷତା କରିଥିଲେ ଏବଂ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ମୁଖ୍ୟ ତଥା ପ୍ରାଧ୍ୟାପକ, ଅଧ୍ୟାପକ, ପଦାଧିକାରୀଙ୍କ ସମେତ ପ୍ରକୃତି ଓ ପରିବେଶ ଉପରେ କାର୍ଯ୍ୟକରୁଥିବା ବ୍ରହ୍ମପୁର ଅନେକ ସ୍ୱେଚ୍ଛାସେବୀ, ସାମାଜିକ ସଂଗଠନ ମାନେ ଯୋଗ ଦେଇଥିଲେ । ବୈଠକ ଆରମ୍ଭରେ ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗର ମୁଖ୍ୟ ଡ. ତମୋଘନ ଆଚାର୍ଯ୍ୟ ସ୍ଵାଗତ ଭାଷଣ ଦେଇଥିଲେ । ଓଡ଼ିଶା ପରିବେଶ କଂଗ୍ରେସର କାର୍ଯ୍ୟକାରୀ ସମ୍ପାଦକ ସୁଦର୍ଶନ ଦାସ ବିଗତ ୧୪ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ପରିବେଶ କଂଗ୍ରେସର ଅଧିବେଶନ ଗୁଡ଼ିକ ବିଷୟରେ ଉପସ୍ଥାପନା କରିବା ସହିତ ଚଳିତ ବର୍ଷର ୧୫ତମ ଅଧିବେଶନ ବିଷୟରେ ଆଲୋକପାତ କରିଥିଲେ । ସେ କହିଥିଲେ ୪୮୦ କିମି ଦୀର୍ଘ ବେଳାଭୂମି ଓଡ଼ିଶାର ପ୍ରାକୃତିକ ପ୍ରଚୁର୍ଯ୍ୟର ଏକ ବିଶେଷ ଅଂଶ । ମାତ୍ର ଜଳବାୟୁ ପରିବର୍ତ୍ତନ ଏବଂ ତଥାକଥିତ ବିକାଶର ଧାରା ଏହି ପ୍ରାକୃତିକ ପ୍ରଚୁର୍ଯ୍ୟ ଆଜି ବିପଦ ଡାକି ଆଣୁଛି । ଏହା ଉପରେ ଗଭୀର ଆଲୋଚନା ଓ ଗବେଷଣା ହେବା ଜରୁରୀ ଏବଂ ସେହି ଦୃଷ୍ଟିରୁ ଚଳିତ ବର୍ଷର ଅଧିବେଶନ ବହୁତ୍ ଗୁରୁତ୍ଵ ବହନ କରେ । ଓଡ଼ିଶା ଓ ଦେଶର ସାମୁଦ୍ରିକ ବେଳାଭୂମି ସ୍ଥିତି, ଅବସ୍ଥିତି, ସମସ୍ୟା, ପ୍ରାକୃତିକ ବିପର୍ଯ୍ୟୟ, ବେଳାଭୂମି ଅଞ୍ଚଳରେ ଗଢି ଉଠୁଥିବା ପ୍ରକଳ୍ପ ଗୁଡ଼ିକର ପ୍ରଭାବ, ସମୁଦ୍ର ଉପରେ ନିର୍ଭରଶୀଳ ଜୀବନ ଜୀବିକାର ସମସ୍ୟା ଇତ୍ୟାଦି ଉପରେ ୫୦ ଅଧିକ ଗବେଷକ ମାନେ ତାଙ୍କର ପ୍ରବନ୍ଧ ଏଥିରେ ପାଠ କରିବେ । ସେହି ପ୍ରବନ୍ଧ ସବୁକୁ ନେଇ ଏକ ଗବେଷଣାତ୍ମକ ପୁସ୍ତକ ପ୍ରକାଶ ପାଇବ । ଏହି ଅବସରରେ ପିଲାଙ୍କ ପରିବେଶ କଂଗ୍ରେସ ମଧ୍ୟ ଅନୁଷ୍ଠିତ ହେବ ଯେଉଁଥିରେ ଗଞ୍ଜାମ ଜିଲ୍ଲାର ସ୍କୁଲ, କଲେଜର ଛାତ୍ରଛାତ୍ରୀ ଭାଗ ନେବେ । ପରିବେଶ ଓ ବେଳାଭୂମିକୁ ନେଇ ସେମାନେ ରଚନା, ତର୍କ, ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତାରେ ଭାବ ନେବେ ଏବଂ କୃତି ଛାତ୍ରଛାତ୍ରୀଙ୍କୁ ପରିବେଶ କଂଗ୍ରେସର ଉଦ୍‌ଯାପନୀ ଉତ୍ସବରେ ସମ୍ମାନିତ କରାଯିବ ।
ଏହି ଅବସରରେ ରାଧାମୋହନ ଗ୍ରୀନ ଆମ୍ବସେଡର ସମ୍ମାନ, ପଦ୍ମଶ୍ରୀ ଅଜୟ ପରିଡ଼ା ଯୁବ ବିଜ୍ଞାନୀ ସମ୍ମାନ, ଅବସର ବେଉରିଆ ଯୁବ ପରିବେଶବିତ ସମ୍ମାନ, ସୁଧାଂଶୁ ମିଶ୍ର ଗ୍ରୀନ କର୍ପୋରେଟ ସମ୍ମାନ ଇତ୍ୟାଦି ପୁରସ୍କାର ପ୍ରଦାନ କରାଯିବ । ଗଞ୍ଜାମ ଜିଲ୍ଲାରେ ପରିବେଶକୁ ନେଇ କାର୍ଯ୍ୟ କରୁଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷ ସେମାନଙ୍କ କୃତିକୁ ନେଇ ପ୍ରଦର୍ଶନୀ ସହିତ ଚିତ୍ର କଳା କର୍ମଶାଳା ଇତ୍ୟାଦି ମଧ୍ୟ ଅନୁଷ୍ଠିତ ହେବ । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ. ପୁରୁଷୋତ୍ତମ ସାହୁ, ଲତିକା ପଟେଲ, ଡ. ସୁଚିଶ୍ମିତା ଶ୍ରୀଚନ୍ଦନ, ଡ. ଶକ୍ତିଧର ନାଥ, ଡ. ଶେଷ ଦେବ ପାତ୍ର, ଶିବରାମ ପାଣିଗ୍ରାହୀ, ବନମାଳୀ ପ୍ରଧାନ, ଇ. ଟି. ରାଓ, ବିଘ୍ନେଶ୍ୱର ସାହୁ, ଲୋକନାଥ ପରିଡ଼ା, ଅଞ୍ଜନ ପୃଷ୍ଟି, ରବୀନ୍ଦ୍ର ନାଥ ସାହୁ, ଡ. ବନ୍ଦିତା ପଣ୍ଡା, ପ୍ରଫେସର ମୃତ୍ୟୁଞ୍ଜୟ ସ୍ୱାଇଁ, ନୀରଦ ବରଣ ଖୁଣ୍ଟିଆ, ସଞ୍ଜୟ କୁମାର ନାୟକ, ବିଜୟ ପ୍ରଧାନ, ସଚ୍ଚିକାନ୍ତ ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ବିଶିଷ୍ଟ ପରିବେଶବିତ ଡ. ସୁଧୀର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!