- ସ୍କୁଟିରେ ଥିଲେ ୩ ଦୁର୍ବୃତ୍ତ, ପୁଲିସର ତଦନ୍ତ ଜାରି
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ବଜାର ଛକରେ ସିଏସ୍ପିର ପରିଚାଳକ ଲଲିତ ଗହୀର ଓ ତାଙ୍କ ଭଉଣୀ ହିମାନୀ ଗହୀରଙ୍କୁ ମାଡମାରି ଦୁର୍ବୃତ୍ତମାନେ ୭ ଲକ୍ଷ ୩୦ ହଜାର ୨ ଶହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ହଳଦୀ ପଞ୍ଚାୟତ ପଟାମରା ଗ୍ରାମର ଲଳିତ ଗହୀର ଓ ତାଙ୍କ ଭଉଣୀ ସକାଳୁ ସମସ୍ତ ପଇସା ପତ୍ର ଆଦି ସହ ନିଜ ହିରୋହୋଣ୍ଡା ପାସନ୍ ପ୍ରୋ ବାଇକ୍ ଓଆର୍ ୦୩ ଏଏଚ୍ ୯୧୧୪ ଯୋଗେ ହଳଦୀ ବଜାର ଛକକୁ ଆସୁଥିଲେ । ପଟାମରାରୁ ହଳଦୀ ମଝିରେ ଥିବା ଏକ ନିଛାଟିଆ ସ୍ଥାନରେ ସ୍କୁଟିରେ ଥିବା ୩ ଜଣ ଦୁର୍ବୃତ୍ତ ହଠାତ୍ ଲଳିତ ଓ ତାଙ୍କ ଭଉଣୀଙ୍କ ବାଇକକୁ ଧକ୍କା ଦେଇଥିଲେ । ସେମାନେ ଧରିଥିବା ଏକ ଟାଙ୍ଗିଆରେ ଆକ୍ରମଣ କରିବାକୁ ଉଦ୍ୟମ କରିବା ସହ ଟଙ୍କା ଧରିଥିବା ଭଉଣୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଟଙ୍କା ବ୍ୟାଗକୁ ଜୋର୍ କରି ଛଡାଇନେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ବ୍ୟାଗରେ ନଗଦ ୭ ଲକ୍ଷ ୩୦ ହଜାର ୨ ଶହ ଟଙ୍କା, ଏକ ଲାପ୍ଟପ୍,୧୫ଟି ଏଟିଏମ୍, ବହୁ ବ୍ୟାଙ୍କ୍ ପାସ୍ବୁକ୍ ଥିବା ଜଣାପଡିଛି । ଖବର ପାଇ ତୁରନ୍ତ ମୁରିବାହାଲ ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଛାନ୍ଭିନ୍ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।