ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତ୍ୟେକ ବର୍ଷ ନଭେମ୍ବର ୮ରେ ‘ବିଶ୍ୱ ସହର ଯୋଜନା ଦିବସ’ ପାଳନ ହୁଏ । ଉତ୍ତମ ସହରୀ ଡିଜାଇନ ପରିକଳ୍ପନାର ପରିବର୍ତ୍ତନଶୀଳ ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନାକାରୀ ଏବଂ ସମ୍ପୃକ୍ତ ସମ୍ପ୍ରଦାୟ ଏକତ୍ରିତ ହୁଅନ୍ତି । ଏହି ବିଶେଷ ଦିବସଟି ଗୁରୁତ୍ଵ ଦେଇଥାଏ କିପରି ସୁଚିନ୍ତିତ ଯୋଜନା ବଳରେ ଉପଭୋଗ୍ୟ ଜୀବନଯାପନ ପ୍ରଣାଳୀ ଅବଲମ୍ବନ କରିହେବ । ପରିବେଶ ପ୍ରଦୂଷଣ, ବିଶ୍ଵ ତାପନ, ଟ୍ରାଫିକ ସମସ୍ୟା, ଜଳବାୟୁ ପରିବର୍ତ୍ତନ ଏବଂ ଗୃହ ସଙ୍କଟ ଭଳି ବିଶ୍ଵସ୍ତରୀୟ ସମସ୍ୟାର ମୁକାବିଲା କରିବାରେ ଯୋଜନା କରିବାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକିତ କରିବାର ଏହା ଗୋଟିଏ ଦିନ । ବିଶ୍ଵ ସହର ଯୋଜନା ଦିବସ ୧୯୪୯ ମସିହାରେ ବୁଏନୋସ୍ ଆଇରେସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର କାର୍ଲୋସ୍ ମାରିଆ ଡେଲା ପାଓଲେରାଙ୍କ ଦ୍ଵରା ଆରମ୍ଭ ହୋଇଥିଲା । ଉଦ୍ଦେଶ୍ୟ ଥିଲା ଜୀବନ୍ତ, ସ୍ଥାୟୀ ଏବଂ ନ୍ୟାୟାନୁମୋଦିତ ସମ୍ପ୍ରଦାୟ ସୃଷ୍ଟି କରିବାରେ ଯୋଜନାର ଭୂମିକାକୁ ଚିହ୍ନିବା ଏବଂ ପ୍ରୋତ୍ସାହିତ କରିବା, ଏକ ମିଶନ ଯାହା ସମଗ୍ର ବିଶ୍ୱରେ ପୁନଃ ପ୍ରତିଫଳିତ ହୋଇଥିଲା ଏବଂ ୩୦ରୁ ଅଧିକ ଦେଶ ଏହି ଦିବସ ପାଳନ କରିବାକୁ ଆଗେଇ ଆସିଥିଲେ । ଏହି ଦିବସ ପାଳନ ଆନ୍ତର୍ଜାତୀୟ ସହଯୋଗ ଏବଂ ସହରୀ ଯୋଜନାରେ ଅଭିନବ ଚିନ୍ତାଧାରା ଏବଂ ସର୍ବୋତ୍ତମ କୈାଶଳ ବାଣ୍ଟିବା ପାଇଁ ଏକ ପ୍ଲାଟଫର୍ମ ହେଲା । ସ୍ଥିରତା, ସ୍ୱାସ୍ଥ୍ୟସେବା, ସଂସ୍କୃତି ଏବଂ ପରିବେଶ, ଶିକ୍ଷା ଏବଂ ଭିତ୍ତିଭୂମି ଉପରେ ପର୍ଯ୍ୟବେଶିତ ମୂଲ୍ୟାଙ୍କନ ଉପରେ ଆଧାର କରି ୧୭୨ଟି ସହରର ସର୍ବେକ୍ଷଣରେ ଅଷ୍ଟ୍ରିଆର ରାଜଧାନୀ ଭିଏନା ସବୁଠାରୁ ଉତ୍ତମ ବାସୋପଯୋଗୀ ସହର ଭାବରେ ଚୟନ ହୋଇଛି । ଏହା ପଛକୁ ଯେଉଁ ସହରଗୁଡ଼ିକ ରହିଛି ତାହା ହେଉଛି କପେନହାଗନ (ଡେନମାର୍କ), ଜୁରିଚ୍ (ସ୍ୱିଜରଲ୍ୟାଣ୍ଡ), ମେଲବୋର୍ଣ୍ଣ (ଅଷ୍ଟ୍ରେଲିଆ), କାଲଗାରୀ (କାନାଡା) । ପୃଥିବୀର କେତେକ ଅପରିଷ୍କାର ସହରର ଉପସ୍ଥିତି ଦ୍ୱାରା ପରିବେଶ ପ୍ରଦୂଷଣ ପ୍ରସଙ୍ଗ ସ୍ପଷ୍ଟ ଭାବରେ ବର୍ଣ୍ଣିତ ହୋଇଛି । ଅତି ପ୍ରଦୂଷିତ ଶ୍ରେଷ୍ଠ ୧୦ଟି ସହର ହେଉଛି କିନ୍ସାସା (କଙ୍ଗୋ), ବେଜିଂ (ଚୀନ୍), ଲାହୋର (ପାକିସ୍ଥାନ), ନ୍ୟୁୟର୍କ (ଆମେରିକା), ଜାକର୍ତ୍ତା (ଇଣ୍ଡୋନେସିଆ), ଦିଲ୍ଲୀ (ଭାରତ), ସାଓ ପାଉଲୋ (ବ୍ରାଜିଲ), ଚିକାଗୋ (ଆମେରିକା), ହୋ ଚି ମିନ୍ (ଭିଏତନାମ), ସାଣ୍ଟିଆଗୋ (ଚିଲି) । ଏହି ସହରଗୁଡିକ ବାୟୁ, ଜଳ ଏବଂ ମୃତ୍ତିକା ପ୍ରଦୂଷଣର ମାତ୍ରା ସହିତ ମୁକାବିଲା କରୁଛନ୍ତି, ଯାହା ସେମାନଙ୍କ ବାସିନ୍ଦାଙ୍କ ପାଇଁ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି ଏବଂ ବ୍ୟାପକ ପରିବେଶ ଆହ୍ଵାନକୁ ଦର୍ଶାଉଛି । ଏହି ସହରୀ ପରିବେଶ ନିମ୍ନ ମାନର ହେଉଥିବା କାରଣଗୁଡିକ ହେଉଛି ଶିଳ୍ପ ଆବର୍ଜନା ନିର୍ଗମନ, ଯାନବାହାନ ପ୍ରଦୂଷଣ, ପର୍ଯ୍ୟାପ୍ତ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଣାଳୀରେ ଅବହେଳା ଏବଂ କେତେକ କ୍ଷେତ୍ରରେ ଧୂଳି ଝଡ ପରି ପ୍ରାକୃତିକ କାରଣଗୁଡିକ । ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ୧୧ର ଆଭିମୁଖ୍ୟ ହେଉଛି ସହର ଏବଂ ମାନବ ବସତିଗୁଡ଼ିକୁ ଅଧିକ ଅନ୍ତର୍ଭୂକ୍ତ କରିବା, ସେଗୁଡିକରେ ନିରାପଦ ରକ୍ଷା କରିବା ଏବଂ ସ୍ଥାୟୀତ୍ୱ ବଜାୟ ରଖିବା । ଏହି ବର୍ଷର ବିଷୟବସ୍ତୁ ଆମ ସହର ମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ନିରନ୍ତର ବାସୋପଯୋଗୀ ଗୃହ ନିର୍ମାଣରେ ଯୋଜନାକାରୀ ଏବଂ ଯୋଜନା ଉପରେ ଗୁରୁତ୍ୱ ଦେଇଥାଏ ।