jayashree

୧୦ମ ଭୀମପାହାଡ ମହୋତ୍ସବ ଉଦ୍‌ଘାଟିତ

  • ଅଞ୍ଚଳବାସୀଙ୍କ ମିଳିତ ପ୍ରୟାସରେ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀର ବିକାଶ ହୋଇଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ଅଞ୍ଚଳ ଗୋଟିଏ ସମୟରେ ଅନୁନ୍ନତ ହୋଇପଡି ରହିଥିଲା । କିନ୍ତୁ ଅଞ୍ଚଳବାସୀଙ୍କ ମିଳିତ ପ୍ରୟାସରେ ଆଜି ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀ ସହ ବହୁଗୁଡିଏ ବିକାଶ କାମ ହୋଇପାରିଛି । ଆଗକୁ ଲୋକଙ୍କର ଏକତା ଓ ପ୍ରୟାସରେ ଆହୁରୀ ବଡବଡ ପ୍ରକଳ୍ପ ହୋଇପାରିବ ବୋଲି ୧୦ ଭୀମପାହାଡ ମହୋତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ସୋନପୁରର ପୂର୍ବତନ ବିଧାୟକ ବିନୋଦ ପାତ୍ର କହିଛନ୍ତି । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀରେ ଆୟୋଜିତ ଭୀମପାହାଡ ମହୋତ୍ସବରେ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ମୁକୁନ୍ଦପୁର ସରପଞ୍ଚ ଜାନକି ସାହୁ, ସରପଞ୍ଚ ମହଲେ ଚିତ୍ତରଂଜନ ସାହୁ, ସୀତାଂଶୁ ମିଶ୍ର ସମିତିସଭ୍ୟ ବଡବାହାଲ ଓ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ମଞ୍ଚରେ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର, ସଂପାଦକ ଗୋବର୍ଦ୍ଧନ ସାହୁ, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ଆଜି ମହୋତ୍ସବ ଉଦ୍‌ଘାଟନ ପୂର୍ବରୁ ଭୀମଡୁଙ୍ଗୁରୀ ପାହାଡ ଉପରେ ଥିବା ଆଦିବାସୀଙ୍କ ଦେବତା ଭୀମାବୁଢାଙ୍କ ଗୁମ୍ଫାରୁ ମଶାଲ ଅଣାଯାଇ ମହୋତ୍ସବ ସ୍ଥଳୀରେ ସ୍ଥାପନ କରାଯାଇଥିଲା । କନ୍ଧଆଦିବାସୀମାନେ ମଶାଲକୁ ଆଣି ପୂଜାର୍ଚ୍ଚନା କରି ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଦିବାସୀ ନେତା ତଥା ସଇଁତଲା ବ୍ଲକର ଉପାଧ୍ୟକ୍ଷ ଗୁଣସାଗର ମାଝୀ ଅତିଥି ଭାବରେ ଯୋଗଦେଇ ମଶାଲକୁ ଗ୍ରହଣ କରି ମଞ୍ଚରେ ସ୍ଥାପନ କରିଥିଲେ । ପାହାଡ ଉପରେ ଭୀମାବୁଢାଙ୍କ ପୂଜକ ଥିବା ହଳଧର କୁଅଁର ମଶାଲକୁ ଆଣିଥିଲେ । ସେହିପରି ଗିରିଗୋବର୍ଦ୍ଧନ ପୂଜା ପାଇଁ ମଧ୍ୟ ଭୀମକଟାରୁ କଳସ ଶୋଭାଯାତ୍ରାରେ ଅଣାଯାଇ ନାମଯଜ୍ଞ ସ୍ଥଳୀରେ ସ୍ଥାପନ କରାଯାଇଥିଲା । ମହୋତ୍ସବର ସାଂସ୍କୃତିକ ସଭା ପରେ ପ୍ରତିବର୍ଷ ଭଳି କଂସଦରବାର ଆୟୋଜିତ ହୋଇଥିଲା । ବିଶିଷ୍ଟ କଳାକାର ରବୀନ୍ଦ୍ର ସାହୁ ଓ ସାଥି କଂସଦରବାର କାର୍ଯ୍ୟକ୍ରମ କରିଥିଲେ । ଚଳିତବର୍ଷ ମହୋତ୍ସବ ପାଇଁ ଭୀମଡୁଙ୍ଗୁରୀରେ ମୀନାବଜାର ମଧ୍ୟ ଲାଗିଛି । ଛୋଟପିଲାଙ୍କ ମନୋରଂଜନ ପାଇଁ ବିଭିନ୍ନ ଖେଳ ସାମଗ୍ରୀ, ଦୋକାନ ବଜାର ଜମିଛି । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ ବୋଲି ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.