ଅବ୍ୟବସ୍ଥା ଘେରରେ ବଡଡକଲା ଆଶ୍ରମ ବିଦ୍ୟାଳୟ

ତୁରେକେଲା, (ପିତାମ୍ବର ଦୀପ) : ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଉପାନ୍ତ ଆଦିବାସୀ ଅଞ୍ଚଳ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରେ ଶିକ୍ଷା ବ୍ୟବସ୍ଥା ଫେଲ ମାରିଥିବା ଦେଖିବାକୁ ମିଳିଛି । କେଉଁଠି ସ୍କୁଲ ନାହିଁ ତ, କେଉଁଠି ଶିକ୍ଷକ ନାହାନ୍ତି । କେଉଁଠି ଶ୍ରେଣୀ ଗୃହ ନାହିଁ ତ, କେଉଁଠି ଶିକ୍ଷକ ଅଭାବ ରହିଛି । କେଉଁ ଛାତ୍ରବାସରେ ଶ୍ରେଣୀ କୋଠରୀ ଅଭାବ ତ, କେଉଁଠି ଶିକ୍ଷକ ଅଭାବ । ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥା କହିଲେ ନ ସରେ । ଏଭଳି ଅବସ୍ଥା ଦେଖିବାକୁ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତୁରେକେଲା ବ୍ଲକ ବଡଡକଲା ଗାଁରେ । ସୂଚନା ଅନୁସାରେ ପ୍ରାୟ ୩୮୩ ଜଣ ଛାତ୍ରଛାତ୍ରୀ ଥିବା ଏହି ବଡ଼ଡକଳା ଆଶ୍ରମ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ପର୍ୟ୍ୟନ୍ତ ପାଠପଢା ଯାଏ । କିନ୍ତୁ ଶ୍ରେଣୀ ଗୃହ କହିଲେ ମାତ୍ର ୪ଟି ଅଛି । ଗୋଟିଏ ଶ୍ରେଣୀ ଗୃହରେ ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭାଗ ବଂଟା କରି ପାଠପଢା ଯାଏ, ତେବେ କେମିତି ପାଠ ଶାଠ ଚାଲୁଥିବ ଆପଣ ଜାଣି ପାରୁଥିବେ । ଅଭିଯୋଗ ଅନୁସାରେ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କେବଳ ମଧ୍ୟାହ୍ନ ଭୋଜନ ବ୍ୟତୀତ ପାଠ ପଢ଼ାଯାଉ ନ ଥିବା ଖବର ସାମ୍ନାକୁ ଆସିଛି । ସ୍କୁଲ କମିଟି ଏଥି ପ୍ରତି କୌଣସି ଧ୍ୟାନ ଦେଉନାହାନ୍ତି କିନ୍ତୁ ଛୋଟ ଛୋଟ ଛାତ୍ରଛାତ୍ରୀ ମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଖବର ପ୍ରାପ୍ତ ହୋଇଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ଅନେକ ଗୁଡ଼ାଏ ବ୍ୟବସ୍ଥା ସରକାର କରୁଛନ୍ତି କିନ୍ତୁ ବାସ୍ତବିକ ତାହା ତୃଣମୂଳ ସ୍ଥରରେ ପ୍ରଶାସନିକ ଅଧିକାରୀଙ୍କ ମାନମାନି ହେଉ କିମ୍ବା ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଖମଖିଆଳି ମନୋଭାବ ପାଇଁ ତାର ସଫଳ ରୂପାୟନ ହୋଇ ପାରିନାହିଁ । ରାତିରେ ଏହି ଛାତ୍ରାବାସରେ ଆଟେଣ୍ଡେଣ୍ଟ ନ ରହିବାରୁ ଛାତ୍ରଛାତ୍ରୀମାନେ ରାତିରେ ଅସୁବିଧା ହେତୁ ବାଡ଼ା ଡେଇଁ ଘରକୁ ପଳାଇ ଯାଉଛନ୍ତି । ଘଞ୍ଚ ପାହାଡିଆ ଅଞ୍ଚଳ ରାତିରେ ଜଙ୍ଗଲୀ ଜନ୍ତୁ ଭୟ । ହଷ୍ଟେଲରେ ୨ ଜଣ ଆଟେଣ୍ଡେଣ୍ଟ ଅଛନ୍ତି ଚକ୍ରଧର ଖରସେଲ ଓ ଯୁଗେଶ୍ୱର ସଗରିଆ । ଚକ୍ରଧର ଖରସେଲ ଦିନ ବେଲା ଛାତ୍ରବାସରେ ରହନ୍ତି ହେଲେ ରାତିରେ ଯୁଗେଶ୍ୱର ସଗରିଆ ରହୁ ନାହଁନ୍ତି ସେଥିପାଇଁ ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ ଅସୁବିଧା ହେଉଛି । କିଏ ରହୁଛି ତ କିଏ ଅଧ ରାତିରେ ବାଡ଼ା ଡେଇଁ ପଳେଇ ଯାଉଛି । ଏହି ହଷ୍ଟେଲରେ ପାଣି ଓ ବିଦ୍ୟୁତ ସମସ୍ୟା ମଧ୍ୟ ପ୍ରାୟ ସମୟରେ ଦେଖାଯାଇଥାଏ । ସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ ନାଗ ଏବେ ଓଡିଶା ପ୍ରଶାସନିକ ସେବାରେ କୃତକାର୍ୟ୍ୟ ହୋଇଛନ୍ତି ପୁଣି ସେହି ସ୍କୁଲରେ ନିୟମିତ ୨ ଜଣ ଶିକ୍ଷକ, ଗେଷ୍ଟ ଟିଚର ୨ ଜଣ, ପାର୍ଟ ଟାଇମ ୨ ଜଣ ଓ ପି.ଟି ଟିଚର ୧ ଜଣ ,ସମୁଦାୟ ୬ ଜଣ ଶିକ୍ଷକ ଥିବା ବେଳେ ଶ୍ରେଣୀ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ପିଲା କେମିତି ଶିକ୍ଷା ଲାଭ କରୁଥିବେ ଆପଣମାନେ ଜାଣି ପାରୁଥିବେ । ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳଙ୍କୁ ଯୋଗାଯୋଗ କରିବାରୁ ସେ ତଦନ୍ତ କରି ଏହାର ଉଚିତ କାର୍ଯ୍ୟାନୁଷ୍ଠାନ ନେବା ସହ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.