ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀରେ ୩୦ ୟୁନିଟ୍‌ ରକ୍ତ ସଂଗ୍ରହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଜନ୍ମମାଟି ସୁଆଣ୍ଡୋ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରଟି ସୁଆଣ୍ଡୋ ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ଶିବିରଟିର ଶୁଭାରମ୍ଭ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ଏମସ୍ ଦିଲ୍ଲୀର ପ୍ରାକ୍ତନ ଅଧ୍ୟକ୍ଷ ଡ. ଅଶୋକ କୁମାର ମହାପାତ୍ର, ସମାଜସେବୀ ବଦ୍ରି ମିଶ୍ର ଓ ସୁଦର୍ଶନ ପ୍ରଧାନ କରିଥିଲେ । ପ୍ରଥମେ ଅତିଥି ମାନେ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ରକ୍ତଦାନ ଶିବିରଟି ରେଡ୍‌କ୍ରସ୍‌ କଟକ ଶାଖାର ସହଯୋଗରେ କରାଯାଇଥିଲା । ରେଡ୍‌କ୍ରସ୍‌ କଟକ ଶାଖାର ଡଃ. କିଶୋର ଚନ୍ଦ୍ର ବେହେରା, ଲ୍ୟାବ୍ ଟେକ୍ନିସିଆନ୍‌ ରଞ୍ଜନ କୁମାର ଦାସ, ପ୍ରସନ୍ନ କୁମାର ସ୍ୱାଇଁ ଓ ସଂଯୋଜକ ଅଭିନାଶ ଦାସ ଶିବିରଟିରେ ସମସ୍ତ ବୈଷୟିକ ସହାୟତା କରିଥିଲେ । କାର୍ଯ୍ୟକ୍ରମଟି ର ସମ୍ପୂର୍ଣ୍ଣ ପରିଚାଳନା ‘ସ୍ୱରାଜ ବ୍ଲଡ୍‌ ଡୋନର ଗ୍ରୁପ’ ଦ୍ଵାରା ହୋଇଥିଲା । ଦୀର୍ଘ ଦିନ ଧରି ରାଜ୍ୟ ସ୍ତରରେ ବିଭିନ୍ନ ଜିଲ୍ଲାର ସରକାରୀ ଓ ବେସରକାରୀ ଚିକିତ୍ସାଳୟ ଗୁଡ଼ିକରେ ଏହି ଗ୍ରୁପ ନିଜର ରକ୍ତଦାତା ମାନଙ୍କ ଦ୍ଵାରା ସିଧାସଳଖ ଭାବେ ରକ୍ତ ଯୋଗାଇ ଆସୁଛି । ଗ୍ରୁପର ଏଭଳି ମହତ କାର୍ଯ୍ୟ ପାଇଁ ଅତିଥି ମାନେ ମୁଖ୍ୟ ପରିଚାଳକ ସୁଶାନ୍ତ କୁମାର ରଥ ଓ ପଦ୍ମଲୋଚନ ମହାପାତ୍ରଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ । ଏହି ଶିବିରରେ ସର୍ବମୋଟ ୩୦ ୟୁନିଟ୍‌ ରକ୍ତ ସଂଗୃହିତ ହୋଇଥିଲା । ଗ୍ରାମର ଯୁବ ସମାଜସେବୀ ଶୁଭାଶିଷ ଦାସ, ଗୌରିଶଙ୍କର ଦାସ, ରଶ୍ମିକାନ୍ତ ନନ୍ଦ, ସୁକାନ୍ତ ବିଶ୍ଵାଳ, ପ୍ରଶାନ୍ତ ନାୟକ ପ୍ରମୁଖ ରକ୍ତଦାତା ମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ରକ୍ତଦାନ ପରବର୍ତ୍ତୀ ସତର୍କତା ଉପରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ନୀଳକଣ୍ଠ ବାରିକ, ଟିକିନା ମିଶ୍ର, ଚିନ୍ମୟୀ ରଥ ସମସ୍ତ ରକ୍ତଦାତା ମାନଙ୍କୁ ପରିଚୟ ପତ୍ରିକା ଓ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ରୋଜାଲିନ ମିଶ୍ର, ଆକାଶ ସୁବୁଦ୍ଧି, ଅଜୟ ମୁଦୁଲି, ସୌମେନ୍ଦ୍ର ମିଶ୍ର ପ୍ରମୁଖ ରକ୍ତଦାନ କରିଥିଲେ ।

Leave A Reply

Your email address will not be published.