ପଦୋନ୍ନତି ଦ୍ୱନ୍ଦ୍ୱ : ଆଶଙ୍କାରେ ସାଧାରଣ ବର୍ଗର କର୍ମଚାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ଚାକିରିର ବିଭିନ୍ନ କ୍ୟାଡ଼ରରେ ପଦୋନ୍ନତି ଲାଗି ଉଦ୍ଦିଷ୍ଟ ଅଣସଂରକ୍ଷିତ ପଦରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ନେଇ ନିକଟରେ ସରକାରୀ ଭାବେ ଚିଠିକୁ ନେଇ ଆଶଙ୍କାରେ ଅଛନ୍ତି ସାଧାରଣ ବର୍ଗର କର୍ମଚାରୀ । ଏହି ବ୍ୟବସ୍ଥା ଲାଗୁ ହେଲେ ଭବିଷ୍ୟତରେ ସାଧାରଣ ବର୍ଗର କର୍ମଚାରୀ ଓ ଆଶାୟୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରଭାବିତ ହେବ ବୋଲି କୁହାଯାଇଛି । ସୂଚନା ମତେ, ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଶାସନ ସଚିବ ଗତ ସେପ୍ଟେମ୍ବର ୧୧ ତାରିଖରେ ଏକ ଚିଠି (ନଂ – ୧୯୦୩୨) ଇସ୍ୟୁ କରିଥିଲେ, ଯେଉଁଥିରେ ଖାଲି ପଡ଼ିଥିବା ଅଣ ସଂରକ୍ଷିତ ଲାଗି ଉଦ୍ଦିଷ୍ଟ ପଦକୁ ସଂରକ୍ଷିତ ବର୍ଗଙ୍କୁ ପଦୋନ୍ନତି ମିଳିପାରିବ ବୋଲି ଦର୍ଶାଯାଇଥିଲା । ଏଭଳି ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସାଧାରଣ କର୍ମଚାରୀ ଓ ଅଧିକାରୀ ମହଲରେ ତୀବ୍ର ପ୍ରତିକ୍ରିୟା ପାଇଛି । ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଦେଇଥିବା ରାୟର ଏହା ସିଧା ଉଲଂଘନ କରୁଛି ବୋଲି କୁହାଯାଇଛି । ଏ ସମ୍ପର୍କରେ ବିଭିନ୍ନ ବିଭାଗର କର୍ମଚାରୀ ମାନେ ମୁଖ୍ୟ ଶାସନ ସଚିବଙ୍କୁ ଅଭିଯୋଗ ପତ୍ର ପ୍ରେରଣ କରି ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ଏହି କ୍ରମରେ ଡିପ୍ଲୋମା ଇଞ୍ଜିନିୟର କ୍ୟାଡ଼ରରେ ମଧ୍ୟ ସାଧାରଣ ବର୍ଗଙ୍କ ପଦୋନ୍ନତି ଲାଗି ଉଦ୍ଦିଷ୍ଟ ପଦରେ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ ନକରିବାକୁ ବଲାଙ୍ଗିର ସମେତ ବିଭିନ୍ନ ଜିଲ୍ଲାର ଡିପ୍ଲୋମା ଇଞ୍ଜିନିୟର କ୍ୟାଡ଼ରରେ ନିଯୁକ୍ତ ଇଞ୍ଜିନିୟର ମାନେ ମୁଖ୍ୟ ଶାସନ ସଚିବଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ, ସରକାରଙ୍କ ଏହି ଚିଠି ସୁପ୍ରିମକୋର୍ଟଙ୍କ ରାୟକୁ ଉଲଂଘନ କରୁଛି । ଏଥିସହ ସହକାରୀ ଯନ୍ତ୍ରୀରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦକୁ ପଦୋନ୍ନତି ଲାଗି ସାଧାରଣ ବର୍ଗର ଆଶାୟୀଙ୍କ ମୌଳିକ ସ୍ୱାର୍ଥକୁ ହାନି କରିବ । ଡିପ୍ଲୋମା ଇଞ୍ଜିନିୟରଙ୍କୁ କ୍ୟାଡ଼ର ଭିତ୍ତିକ ନିଯୁକ୍ତି ସମୟରେ ‘ଓଆର୍‌ଭି’ ନିୟମର ଅନୁପାଳନ କରାଯାଇଥିଲା । ଏହି କାରଣରୁ ସଂରକ୍ଷଣ ଆଧାରରେ କ୍ରମାନ୍ଵୟରେ ମିଳୁଥିବା ନିଯୁକ୍ତିରେ ସାଧାରଣ ବର୍ଗର ପ୍ରାର୍ଥୀମାନେ ବିଳମ୍ବରେ ଚାକିରି ପାଇଥିଲେ । ଏବେ ଯଦି ପୁଣି ଅଣସଂରକ୍ଷିତ ପଦକୁ ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୁଏ, ତେବେ ବହୁ କ୍ୟାଡ଼ରଭିତ୍ତିକ ନିଯୁକ୍ତି ପାଇଥିବା ଇଞ୍ଜିନିୟର ମାନେ ତାଙ୍କ ଚାକିରି କାଳରେ ପଦୋନ୍ନତି ପାଇବା କଷ୍ଟସାଧ୍ୟ ହୋଇଯିବ ବୋଲି କୁହାଯାଇଛି । ଏଣୁ ସରକାର ଏହାର ପୁନର୍ବିଚାର କରିବାକୁ ଦାବି ହେଉଛି ।

Leave A Reply

Your email address will not be published.