ଜାମପଦର ଗ୍ରାମରେ ଏକକ ପ୍ଲାଷ୍ଟିକ୍‌ ବ୍ୟବହାର ବର୍ଜନ ସଚେତନତା ଶିବିର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଳକୀ ପଞ୍ଚାୟତ ଜାମପଦର ଗ୍ରାମରେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅଧିନସ୍ଥ ସେଣ୍ଟର ଫର୍‌ ଏନ୍‌ଭାଇରନମେଣ୍ଟାଲ୍‌ ଷ୍ଟାଡିଜ ଭୁବନେଶ୍ୱର ତରଫରୁ ଏକକ ପ୍ଲାଷ୍ଟିକ୍‌ ବ୍ୟବହାର ବର୍ଜନ ଶୀର୍ଷକ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସେଣ୍ଟର ଫର୍‌ ଏନ୍‌ଭାଇରନମେଣ୍ଟାଲ ଷ୍ଟଡିଜ୍‌, ଭୁବନେଶ୍ୱରର ସୂଚନା ଅଧିକାରୀ ପ୍ରଶାନ୍ତ କୁମାର ନାୟକ ଉପସ୍ଥିତ ରହି ଅଂଶଗ୍ରହଣକାରୀମାନଙ୍କୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ବୁଝାଇ ଏକକ ପ୍ଲାଷ୍ଟିକ୍‌ ବ୍ୟବହାର ଦ୍ୱାରା ପରିବେଶ ଉପରେ ପଡୁଥିବା କୁପ୍ରଭାବ ଉପରେ ଆଲୋଚନା କରିଥିଲେ । ଏତଦ ବ୍ୟତୀତ ସେ ସମସ୍ତଙ୍କୁ ଏକ ସଚେତନ ନାଗରିକ ହୋଇ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବାକୁ ଉତ୍ସାହିତ କରିଥିଲେ ଏବଂ ସତର୍କ ମଧ୍ୟ କରିଥିଲେ ଯେ, ଯଦି ଆମେ ପରିବେଶ ସୁରକ୍ଷା ଦିଗରେ କାମ ନକରିବା ତାହେଲେ ଆଗାମୀ ଦିନରେ ଏହାର କୁପରିଣତି ଆମକୁ ଭୋଗିବାକୁ ପଡିବ । ସାଧନ କର୍ମୀ ଡ. ବି. ଏନ୍‌, ଶ୍ରୀକାନ୍ତ ପଲିଥିନ ବ୍ୟବହାରର ଦୁଷ୍ପ୍ରଭାବ ଉପରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିବା ସହିତ ପଲିଥିନର ବିକଳ୍ପ ବ୍ୟବହାର ଉପରେ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇଥିଲେ । ଅନ୍ୟତମ ସାଧନ କର୍ମୀ ଅଶୋକ କୁମାର ମେହେର ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ଏକକ ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ହେଉଥିବା ବିଭିନ୍ନ ରୋଗ ଉପରେ ଆଲୋଚନା କରିବା ସହିତ ସମସ୍ତଙ୍କୁ ଏକକ ପ୍ଲାଷ୍ଟିକ୍‌ ବର୍ଜନ ପାଇଁ ଆହ୍ୱାନ ଦେଇଥିଲେ । ତାପରେ ଅଂଶଗ୍ରହଣକାରୀଙ୍କ ଦ୍ୱାରା ଗ୍ରାମରେ ଏକ ରାଲିର ଆୟୋଜନ କରାଯାଇଥିଲା । ଏତଦ ବ୍ୟତୀତ ଗ୍ରାମର ବିଭିନ୍ନ ମଇଳା ଜମିଥିବା ସ୍ଥାନ, ମନ୍ଦିର ପରିସର, ନଳକୂପ ଗୁଡିକର ଚାରିପାର୍ଶ୍ଵକୁ ଅଂଶଗ୍ରହଣକାରୀଙ୍କ ଦ୍ୱାରା ସଫା କରାଯାଇଥିଲା । ଗ୍ରାମରେ ଥିବା ବନ୍ଧର ସଫେଇ ମଧ୍ୟ କରାଯାଇଥିଲା ଏବଂ ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ମଧ୍ୟାନ୍ନ ଭୋଜନ ପରେ ନିମନ୍ତ୍ରିତ ତାଲିମଦାତା ମାନଙ୍କଦ୍ୱାରା କପଡା ବ୍ୟାଗ, ଜୁଟ୍‌ ବ୍ୟାଗ, ପାପୋଛ, ପତ୍ର, ଖଲିଦନା ତିଆରି, ତାଳପତ୍ର ଓ ଖଜୁରୀ ପତ୍ରରୁ ବିଭିନ୍ନ ସାମଗ୍ରୀ ତିଆରି ଇତ୍ୟାଦି ଉପରେ ଅଂଶଗ୍ରହଣକାରୀଙ୍କୁ ତାଲିମ ଦେଇଥିଲେ । ଶେଷରେ ପ୍ଲାଷ୍ଟିକ ବର୍ଜନ ଏବଂ ପରିବେଶ ସୁରକ୍ଷାକୁ ନେଇ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମଟି ସମ୍ପୂର୍ଣ ଭାବରେ କ୍ରିୟାଶୀଳ ଥିଲା ଏବଂ ଏହା ନିଶ୍ଚିତ ଭାବରେ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆଶିଷ ଖମାରୀ, ଜିତେନ୍ଦ୍ରିୟ ଖମାରୀ ଏବଂ ଚକ୍ରାୟୁଦ୍ଧ ଖମାରୀ । କାର୍ଯ୍ୟକ୍ରମରେ ଅଂଚଳର ପ୍ରାୟ ୧୧୦ ଜଣରୁ ଅଧିକ ମହିଳା, ଚାଷୀ, ଯୁବଗୋଷ୍ଠୀ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.