ଇସ୍ପାତ ଓ ଖଣି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

  • ଖଣି ଗୁଡିକର ସୁପରିଚାଳନା କରି ଉତ୍ପାଦନ ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇସ୍ପାତ ଓ ଖଣି ବିଭାଗର କାର୍ଯ୍ୟାବଳୀ ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷାରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ବିଭାଗର କାର୍ଯ୍ୟ ବିଷୟରେ ଅବଗତ କରାଇବା ସହିତ ଆଗାମୀ ଲକ୍ଷ୍ୟ ବାବଦରେ ସୂଚନା ଦେଇଥିଲେ । ବୈଠକରେ ଖଣିଭିତ୍ତିକ ଶିଳ୍ପାନୁଷ୍ଠାନ ପାଇଁ ଖଣି ଗୁଡିକର ସୁପରିଚାଳନା କରି ଉତ୍ପାଦନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱ ଆରୋପ କରିଥିଲେ । ଏଥିସହିତ ରାଜ୍ୟରେ ଖଣି ରାଜସ୍ୱର ଅଭିବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବେନିୟମ ଖଣି ଖନନ ଓ ଖଣିଜ ପଦାର୍ଥର ଚୋରିକୁ ରୋକିବା ପାଇଁ ଅଧିକ ମାନବ ସମ୍ବଳ ସହିତ ପ୍ରବର୍ତ୍ତନ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ସେ ପରାମର୍ଶ ଦେଇଥିଲେ । ଲଘୁ ଖଣିଜ ପଦାର୍ଥ କ୍ଷେତ୍ରରେ ଅଧିକ ଲିଜ୍‌ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ପରିଲକ୍ଷିତ ଭୂତାତ୍ତ୍ୱିକ ସମ୍ଭାବନା ଅଞ୍ଚଳ ୫୫,୦୦୩ ବର୍ଗ କିଲୋମିଟର । କ୍ରୋମାଇଟ୍, ବକ୍‌ସାଇଟ୍, ଲୌହ ପଥର ଭଳି ଖଣିଜ ପଦାର୍ଥ ଉତ୍ପାଦନ କ୍ଷେତ୍ରରେ ଓଡିଶା ଦେଶରେ ଏକ ନମ୍ବର ସ୍ଥାନରେ ଅଛି । ସେହିଭଳି କୋଇଲା ଉତ୍ପାଦନ କ୍ଷେତ୍ରରେ ଦ୍ୱିତୀୟ ଓ ମାଙ୍ଗାନିଜ ଉତ୍ପାଦନରେ ତୃତୀୟ ସ୍ଥାନରେ ଅଛି । ବୈଠକରେ ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ଖଣି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.