ମିନି ଷ୍ଟାଡିୟମ୍‌ ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ

  • ଗ୍ରାମବାସୀଙ୍କ ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ, ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତ ଖାସବାହାଲ ଗାଁରେ ମିନି ଷ୍ଟାଡିୟମ୍‌ ନିର୍ମାଣ କରିବା ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ନେଇ ସଇଁତଲା ବିଡ଼ିଓ ବିନୟ ଭୋଇଙ୍କ ଠାରେ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ କରିଥିଲେ । ହେଲେ ଏ ଦିଗରେ ବ୍ଲକ ପ୍ରଶାସନ କୌଣସି ପଦେକ୍ଷପ ଗ୍ରହଣ ନକରିବାରୁ ସାମାଜିକ କର୍ମୀ ବଳଦେବ କୁମ୍ଭାରଙ୍କ ନେତୃତ୍ୱରେ ବ୍ଲକ ଛକ ଠାରେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ ପ୍ରଶାସନଙ୍କ ଅବହେଳା ପ୍ରତିବାଦରେ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖବର ପାଇଁ ସଇଁତଲା ବିଡ଼ିଓ ବିନୟ ଭୋଇ ପହଂଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଜା କରି ୪ ଦିନ ମଧ୍ୟରେ ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ । ଏହି ପରିପେକ୍ଷୀରେ ଗ୍ରାମବାସୀ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ବଲାଙ୍ଗିର ଜିଲ୍ଲାପାଳ, ସାଂସଦଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଯଦି ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବ୍ଲକ କାର୍ଯ୍ୟାଳୟରେ ତାଲା ଦେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ଏହି ଖାସବାହାଲ ଠାରେ ଏକ ମିନି ଷ୍ଟାଡିୟମ୍‌ ନିର୍ମାଣ ପାଇଁ ବଲାଙ୍ଗିର ସାଂସଦ ଫଣ୍ଡରୁ ୧୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା । କିନ୍ତୁ ଏକ ସମତଲ ଗୋଚର ଜମି ଠାରେ ନିର୍ମାଣ କରାଯାଇଥିବା କହି ଷ୍ଟାଡିୟମ୍‌ ନାଁରେ ଠିକାଦାର ଜଣକ ଟଙ୍କା ଉଠାଣ କରିଥିବା ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି । ଏପରିକି ଏକ ଜେସିପି ଗାଡିକୁ ରଖି ଫୋଟୋ ଉତ୍ତୋଳନ ବିଲ୍‌ କରି ନେଇଥିବା ଗ୍ରାମବାସୀ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଉକ୍ତ ନିର୍ମାଣ ନାଁରେ ପ୍ରାୟ ୩ ଲକ୍ଷ ୬୨ ହଜାରରୁ ଅଧିକ ଟଙ୍କା ବିଲ୍‌ କରି ନେଇଥିବା ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିରେ ବିଭାଗୀୟ ଯନ୍ତ୍ରୀ ସହ ଠିକାଦାର ମିଳିତ ଭଗତରେ ବିଲ୍‌ ଉଠାଣ ହୋଇଥିବା ଗୁରୁତର ଅଭିଯୋଗ କରିଛନ୍ତି । ଏପରିକି ସାଂସଦଙ୍କ ବ୍ଲକ ପ୍ରତିନିଧି ଅକ୍ଷୟ ରଣାଙ୍କ ପୁତୁରା ନାଁରେ ଖାସବାହାଲ ଷ୍ଟାଡିୟମ୍‌ ନିର୍ମାଣର କାର୍ଯ୍ୟଦେଶ ରହିଛି । ଯାହାଫଳରେ ବ୍ଲକ ପ୍ରଶାସନଙ୍କୁ ହାତବାରିସୀ କରି ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ଉଠାଛନ୍ତି । ଏଥିରେ ବ୍ଲକ ପ୍ରଶାସନର ଅପାରଗତା ତଥା ଖମାଖିଆଲି ମନୋଭାବ ଯୋଗୁଁ ଦିନକୁ ଦିନ ଅନିୟମିତତା ବୃଦ୍ଧି ପାଉଛି । ଏହି ବ୍ଲକର ବିଭିନ୍ନ ପଞ୍ଚାୟତଗୁଡିକରେ ଦୁର୍ନୀତି ପାଇଁ ଲୋକେ ଅଭିଯୋଗ ପାଇଁ ଆସୁଥିବା ବେଳେ ପ୍ରଶାସନର ବେପୁରିଆ ଅବହେଳା ଯୋଗୁଁ କୋଣସି ତଦନ୍ତ ମଧ୍ୟ ହେଉନାହିଁ । ଯାହା ଫଳରେ ଅନିୟମିତତା କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଛି । ଏଣୁ ବିଭିନ୍ନ ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ବ୍ଲକ ଆହୁରି ଦୁର୍ନୀତି ବଢିବା ଆଶଙ୍କା ଦେଖାଦେବ ବୋଲି ସାଧାରଣ ଆଲୋଚନା ହେଉଛି । ଏହି ଦାବୀପତ୍ର ସମୟରେ ଚିତ୍ତରଞ୍ଜନ ନାଏକ, ମଞ୍ଜୁ ନାଏକ, ଗୌର ନାଏକ, ଜୟନ୍ତୀ ନାଏକ, ଗୌରଚନ୍ଦ୍ର ସରାଫ, ବୀରେନ୍ଦ୍ର ନାଗ, ବିକ୍ରମ ନାଏକ, ଟୁନା ନାଗ, ରିମା ସେଠ, ଜିତେନ୍ଦ୍ର ଭୋଇ, ଦୀପକ ଭୋଇ, ଯୁଗଳ ସାହୁ, ଶଶୀଧର ନାଏକ, ରଙ୍ଗା ନାଗଙ୍କ ସମେତ ବହୁ ମହିଳା ପୁରୁଷମାନେ ଆନ୍ଦୋଳନରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.