ସିନାପାଲି ଅଞ୍ଚଳରୁ ୨ ବାଘ ଶିକାରୀ ଗିରଫ ଓ କୋର୍ଟ ଚାଲାଣ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଉପାନ୍ତ ନୁଆମାଳପଡା ଗ୍ରାମ ପଞ୍ଚାୟତ ଡଙ୍ଗର ଗାଁରୁ ୨ ବାଘ ଶିକାରୀଙ୍କୁ ସିନାପାଲି ବନ ବିଭାଗ ଗିରଫ କରିବା ସହ ସେମାନଙ୍କ ଠାରୁ ବାଘର ଗୋଟିଏ କଲଦାନ୍ତ ଓ ୬ ଖଣ୍ଡ ବାଘ ହାଡ଼ ଜବତ କରାଯାଇଥିବା ବେଲେ ଅଭିଯୁକ୍ତମାନଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଡଙ୍ଗର ଗାଁ ଗ୍ରାମର ବୁଟୁରାମ ମାଝୀ (୩୮) ଓ ପଦୁ ମାଝୀ (୨୭) ବୋଳି ଜଣାପଡ଼ିଛି । ଉଭୟ ଅଭିଯୁକ୍ତଙ୍କ ଠାରୁ ଜବତ ଦେହାବଶେଷର ଓଜନ ୫.୮୦୦ ଗ୍ରାମ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଚଢାଉରେ ଖଡିଆଳ ଏ.ସି.ଏଫ ମହମ୍ମଦ ସାଲିହା, ସିନାପାଲି ରେଞ୍ଜର ଜୟଦେବ ମାଝୀ, ଫରେଷ୍ଟର ରଞ୍ଜନ କୁମାର ସାହୁ, ତ୍ରିବିକ୍ରମ ନାଏକ, ରମା ରଞ୍ଜନ ରାଉତ, ଚୁଡ଼ାନାଥ ସରାଫ ସମେତ ଖଡିଆଳ ଡିଭିଜନ ମୋବାଇଲ ସ୍କ୍ୱାର୍ଡ ଓ ସିନାପାଲି ରେଞ୍ଜର ଅନେକ କର୍ମଚାରୀ ସାମିଲ ରହିନଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗତ କିଛି ମାସ ତଳେ ସିନାପାଲି ବ୍ଲକ ସୀମାନ୍ତ ଛତିଶଗଡ଼ – ଓଡିଶା ସୀତା ନଦୀ ଅଭୟାରଣ୍ୟ ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଳ ଜବତ କରାଯାଇଥିବା ବେଳେ ସେତେବେଳେ ବନ ବିଭାଗ ଏକ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ସଂପୃକ୍ତ ଥିବା ନେଇ ଆଜି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ବନ ବିଭାଗ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.