ମାଳିଗୁଡା ପାହାଡ଼ରୁ ଖସୁଛି ମାଟି ଅତଡ଼ା : ଗାଁରେ ପଶୁଛି ପଥର ଓ ପାଣି, ଗ୍ରାମବାସୀ ଭୟଭୀତ

ବୋରିଗୁମ୍ମା, (ଏସ୍‌. ସୁନ୍ଦରମ୍‌) : ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବା ଫଳରେ ଲଘୁଚାପ ଜନିତ ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ବାଣ୍ଡିଗୁଡା ପଞ୍ଚାୟତ ମାଳିଗୁଡା ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଦେଖାଦେଇଛି । ମାଳିଗୁଡା ଗ୍ରାମ ପାହାଡ଼ର ପାଦଦେଶରେ ରହିଥିବା ହେତୁ ଗତ ତିନି ଦିନ ଧରି ଲଗାଣ ବର୍ଷାରେ ମାଳିଗୁଡା ପାହାଡ଼ରୁ ମାଟି ଅତଡ଼ା ଖସିବା ସହ ପାହାଡ଼ର ପଥର ଏବଂ ପାଣି ଗାଁ ଭିତରେ ପଶି ବ୍ୟାପକ କ୍ଷତି ହୋଇଛି । ପାହାଡ଼ରୁ ପଥର ଖସି ଗାଁ ଭିତରେ ରହିଥିବା ମାଟି ଘରର କାନ୍ଥରେ ବାଜିବା ଯୋଗୁ କେତେକଙ୍କ ଘର କାନ୍ଥ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଏଥିସହ ପାହାଡ଼ିଆ ନାଳରୁ ପାଣି ଗାଁ ଭିତରେ ପଶି ଜଳମଗ୍ନ ହୋଇପଡୁଛି । ପାହାଡ଼ର ନିମ୍ନ ଭାଗରେ ଗାର୍ଡ ୱାଲ ଏବଂ ପାଣି ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ନଥିବା ଯୋଗୁ ଏପରି ସମସ୍ୟା ଉପୁଜୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତିି । ଗ୍ରାମବାସୀଙ୍କ ଦାବି ଅନୁଯାୟୀ ପାହାଡ଼ ତଳ ଭାଗରେ ଗାର୍ଡ ୱାଲ ନିର୍ମାଣ କରିବା ସହ ପାଣି ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା କରାଯାଉ । ନଚେତ ମାଳିଗୁଡା ଗ୍ରାମ ଦିନେ ଜଳମଗ୍ନ ହେବାସହ ବହୁ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ମାଳିଗୁଡା ଗ୍ରାମବାସୀଙ୍କ ଦାବି ଏବଂ ଏହି ସମସ୍ୟା କେବେ ସମାଧାନ କରିବ ପ୍ରଶାସନ ।

Leave A Reply

Your email address will not be published.