ଉତ୍କଳ ସମ୍ମିଳନୀ ରାଉରକେଲା ଶାଖାର ନୂଆଁଖାଇ ପର୍ବ ପାଳିତ

ରାଉରକଲା, (ସସ୍ମିତା ପ୍ରଧାନ) : ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଉତ୍କଳ ସମ୍ମିଳନୀ ରାଉରକେଲା ଶାଖାର ଆନୁକୂଲ୍ୟରେ ନୂଆଁଖାଇ ପର୍ବ ମହା ସମାରୋହରେ ପାଳନ ହୋଇଯାଇଛି । ଡ. କିଶୋରୀ ଦାଶଙ୍କ ସଂଯୋଜନାରେ ଉଦ୍ଘାଟକ ଭାବେ ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡା. ଉତ୍ତମ ଚରଣ ଜେନା ତାଙ୍କର ଉଦ୍‌ଘାଟନୀ ଭାଷଣରେ ଓଡିଶାର ପର୍ବପର୍ବାଣୀର ବୈଶିଷ୍ଟତାକୁ ଆଗାମୀ ପିଢିମାନଙ୍କ ହୃଦୟରେ ଜାଗ୍ରତ କରିବା ଆବଶ୍ୟକ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ରିମ୍ସର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ଓଡିଶାର ଭାଷା ସାହିତ୍ୟ, କଳା ସଂସ୍କୃତି ଓ ପରମ୍ପରାକୁ ଜନ ମାନସରେ ଉଜ୍ଜିବୀତ କରି ରଖିବା ପାଇଁ ଉତ୍କଳ ସମ୍ମିଳନୀର ଉଦ୍ୟମ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ତାଙ୍କ ବକ୍ତବ୍ୟରେ ଉତ୍କଳ ସମ୍ମିଳନୀର ପ୍ରଚେଷ୍ଟାରେ ଆମେ ପାଇଥିଲୁ ଏକ ଭାଷା । ଏକ ଭୂଖଣ୍ଡ ପାଇଥିବାରୁ ଏହି ସମ୍ମିଳନୀ ସମଗ୍ର ଓଡିଆ ଜାତିର ମିଳନ ମଣ୍ଡପ ଏବଂ ସ୍ୱାଭିମାନର ପ୍ରତୀକ । ଉତ୍କଳ ସମ୍ମିଳନୀକୁ ସୁଦୃଢ କରିବା ଆମ ସମସ୍ତଙ୍କର ମୌଳିକ କର୍ତ୍ତବ୍ୟ ହେବା ଉଚିତ୍ ବୋଲି ମତ ରଖିଥିଲେ । ମୁଖ୍ୟବକ୍ତା ଭାବେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟର ବିଭାଗୀୟ ମୁଖ୍ୟ ଡ. ସୁଷମା ମୋଦି ତାଙ୍କ ବକ୍ତବ୍ୟରେ କହିଲେ ଯେ, ନୂଆଁଖାଇ ପର୍ବ ଆଜି କେବଳ ପଶ୍ଚିମ ଓଡିଶାରେ ସିମିତ ନାହିଁ ,ଏହି ପର୍ବ ଆଜି ଓଡିଶା ସୀମାସରହଦ ଡେଇଁ ଦେଶ ବିଦେଶରେ ମହା ସମାରୋହରେ ପାଳନ କରାଗଲାଣି । ଏହା ଆଜି ଏକ ଗଣ ପର୍ବରେ ପରିଣତ ହେଲାଣି । ନୂତନ ଶସ୍ୟ ଅମଳରୁ ପ୍ରସ୍ତୁତ ପହିଲି ଭୋଗ କାହିଁକି ଦେବୀଙ୍କୁ ଅର୍ପଣ କରାଯାଏ ସେ ବିଷୟରେ ପୁରାଣ ଓ ଇତିହାସରୁ ବହୁ ଉଦାହରଣ ଉଦ୍ଧାର କରି ଏକ ସୁନ୍ଦର ବକ୍ତବ୍ୟ ରଖିଥିଲେ । ଉତ୍କଳ ସମ୍ମିଳନୀର ସଭାପତି ସୁଦାମ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସାଧାରଣ ସଂପାଦକ ଅକ୍ଷୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ କାର୍ଯ୍ୟକାରୀ ସଦସ୍ୟ କବି ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ସମ୍ବଲପୁରୀ ନୃତ୍ୟ ଓ ସଂଗୀତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରାଜକୁମାରୀ ଦେବୀ ଓ ସାଥିଙ୍କ ଦ୍ୱାରା ଉତ୍କଳ ବନ୍ଦନା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଶେଷରେ ଉତ୍କଳ ଶିଳ୍ପ ପରିଚାଳକ ସମାଜର ସଭାପତି ଚିତ୍ତରଂଜନ ଦାସ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଗବାନ ମହାପାତ୍ର, ନବଘନ ପାଣି, ବାଳକ୍ରୁଷ୍ଣ ସ୍ୱାଇଁ, ଶମ୍ଭୁନାଥ ପରିଡା, ହରିହର ଶତପଥୀ, ରାଜ କିଶୋର ମିଶ୍ର, ସୂର୍ଯ୍ୟନାରାୟଣ ପଣ୍ଡା, ଜ୍ୟୋତ୍ସ୍ନା ନାୟକ, ରାଜେନ୍ଦ୍ର ମହାନ୍ତି, ବିମଳ ମହାନ୍ତି, ଶରତ କୁମାର ଦାଶ, ଜଗନ୍ନାଥ ରାଉତ, ଶ୍ରୀପତି ଶୁକ୍ଲା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରଥିଲେ । ଏହି ଉତ୍ସବରେ ସହରର ସବୁ ଅନୁଷ୍ଠାନର କର୍ମକର୍ତ୍ତା, ସାହିତ୍ୟ ସଂସ୍କୃତି ପ୍ରେମୀ ଓ ବୁଦ୍ଧିଜୀବୀମାନେ ଯୋଗଦାନ କରି ଉତ୍କଳ ସମ୍ମିଳନିର ଏପରି କାର୍ଯ୍ୟକ୍ରମକୁ ଖୁବ୍ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.