ପୋଲିସ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଠକକୁ ଧରି ପୋଲିସ ଜିମା ଦେଲେ ଲୋକେ

ହରଭଙ୍ଗା, (କେପିଏନ୍‌ଏସ୍‌) : ନିଜକୁ ପୋଲିସ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରୁଥିଲା । ଏପରିକି ବିଭିନ୍ନ ସମୟରେ ସୁଯୋଗ ନେଇ ବାଇକ ଛଡାଇ ଲୁଟ ମଧ୍ୟ କରୁଥିଲା । ଏମିତି ଏକ ଘଟଣା ସାଧାରଣରେ ଚର୍ଚ୍ଚା ହେଉଛି । କିନ୍ତୁ ଆଜି ସବୁ ନାଟକ ଧରା ପଡିଯିବାରୁ ନିର୍ଦ୍ଧୁମ ଛେଚିଲେ ଲୋକେ । ସମ୍ପୃକ୍ତ ଯୁବକଙ୍କୁ କାବୁ କରି ହରଭଙ୍ଗା ପୋଲିସକୁ ଜିମା ଦେଇଥିଲେ । ଘଟଣା ଅନୁଯାୟୀ ମଙ୍ଗଳବାର ଦିନ ଧଳପୁର ଆଠମଲ୍ଲିକ ସେତୁ ନିକଟବର୍ତ୍ତୀ ଖରସଂକୁଳେଇ ଛକ ନିକଟରେ ସମ୍ପୃକ୍ତ ଯୁବକ ଜଣଙ୍କ ଠିଆ ହୋଇ ବାଇକ ଆରୋହୀଙ୍କୁ ଅଟକାଇ ନିଜକୁ ପୋଲିସ ପରିଚୟ ଦେଇ ବାଇକ ଚେକିଂ କରିବା ବାହାନା କରୁଥିଲା । ହେଲେ ଉଆଁଳ ଗ୍ରାମର ଟୁକୁନା ବେହେରା ନିଜ ବାଇକରେ ଯାଉଥିବା ସମୟରେ ବାଇକ ଆରୋହୀଙ୍କୁ ଅଟକାଇ ବାଇକ ଲୁଟ କରୁଥିବା ଚେଷ୍ଟା କରୁଥିଲା । କିନ୍ତୁ କିଛି ସ୍ଥାନୀୟ ଲୋକ ସନ୍ଦେହ କରି ହଠାତ ଯୁବକଙ୍କୁ ଧରି ପରିଚୟ ମାଗିଥିଲେ । ଏପରିକି ମିଥ୍ୟା ବାହାନା କରି ଲୋକଙ୍କୁ ଠକୁଥିବା ଜାଣି ଉତ୍ତମ ମଧ୍ୟମ ଦେଇଥିଲେ । ପରେ ହରଭଙ୍ଗା ପୋଲିସକୁ ଖବର ଦେଇଥିଲେ ମଧ୍ୟ ବିଳମ୍ବରେ ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା । ଯାହାକି ପୋଲିସ କାର୍ଯ୍ୟ ପ୍ରତି ଜନସାଧାରଣଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଘଟଣାକୁ ନେଇ ହରଭଙ୍ଗା ଥାନା ଅଧିକାରୀ ନଳିନୀକାନ୍ତ ଦାସଙ୍କୁ ପଚାରିବାରୁ ଆମେ ଖବର ପାଇ ବାହାରିଥିଲୁ କିନ୍ତୁ ବାଟରେ ଗାଡି ଖରାପ ହେବା ହେତୁ ଅନ୍ୟ ଏକ ଗାଡି ମଗାଇ ଘଟଣା ସ୍ଥଳକୁ ପହଁଚି ଯୁବକଙ୍କୁ ଉଦ୍ଧାର କରିବା ସହ ନିକଟରୁ (OD ୧୯ ୟୁ ୪୩୨୪) ନାମକ ଏକ ବୁଲେଟ ମଧ୍ୟ ଜବତ କରିଛୁ । ଏ ପର୍ଯ୍ୟନ୍ତ ଅଭିଯୋଗକାରୀ ଥାନାରେ ଅଭିଯୋଗ କରି ନାହାନ୍ତି । ଅଭିଯୋଗ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ପୋଲିସ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ସମ୍ପୃକ୍ତ ଯୁବକ ଜଣଙ୍କ ଘର ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଖଣ୍ଢତା ଗ୍ରାମର ପ୍ରଫୁଲ ନାୟକ ଏବଂ ଯୁବକ ଜଣଙ୍କ ବିଭିନ୍ନ ସମୟରେ ସୁଯୋଗ ନେଇ ଲୋକଙ୍କୁ ଧମକାଇବା ଓ ଚୋରା କାର୍ଯ୍ୟରେ ଲିପ୍ତ ଥିବା ନେଇ ଅଞ୍ଚଳବାସୀଙ୍କ ଭିତରେ ଚର୍ଚ୍ଚା ହେଉଛି । ଏଭଳି ଘଟଣାକୁ ନେଇ ପୋଲିସ ସଠିକ ତଦନ୍ତ କରି ଯୁବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଥିବା ବେଳେ ପୋଲିସ ଛାଡି ଦେଉଛି ନା କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ରହିଲା ।

Leave A Reply

Your email address will not be published.