କଳାହାଣ୍ଡିରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଭାବନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଗସ୍ତ ପୂର୍ବକ ଜିଲ୍ଲାରେ ସାଧାରଣ ବଣ୍ଟନର କାର୍ଯ୍ୟକାରିତା ଏବଂ ଧାନ ସଂଗ୍ରହର ବ୍ୟବସ୍ଥାକୁ ସମିକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପ୍ରଥମେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସ୍ଵାଗତ ଜଣାଇଥିଲେ । ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ଚାଷୀ ମାନଙ୍କର ପଞ୍ଜିକରଣ ପ୍ରକ୍ରିୟା, ମଣ୍ଡି ବ୍ୟବସ୍ଥା, ରାସନ କାର୍ଡ, ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, କଳାହାଣ୍ଡି ପବିତ୍ର ସାହୁ ବୈଠକରେ ତଥ୍ୟ ରଖିଥିଲେ । ୨୦୨୩–୨୪ ଖରିଫରେ ୧,୧୨,୨୮୨ ଜଣ ଚାଷୀ ପଞ୍ଜୀକରଣ କରିଥିବା ଏବଂ ସରକାରଙ୍କ ଦ୍ଵାରା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ଟ. ୩,୧୦୦ ଟଙ୍କାକୁ ବୃଦ୍ଧି ଘୋଷଣା ଯୋଗୁଁ ଏହି ପଞ୍ଜୀକରଣ ଆହୁରି ବୃଦ୍ଧି ହେବ ବୋଲି ଚିଫ ସି.ଏସ୍‌.ଓ. ବୈଠକରେ କହିଥିଲେ । ମନ୍ତ୍ରୀ ଶ୍ରୀ ପାତ୍ର ଉପସ୍ଥିତ ସମସ୍ତ ଯୋଗାଣ ଅଧିକାରୀଙ୍କୁ ଦାୟିତ୍ଵବାନ ହୋଇ କାର୍ଯ୍ୟ କଲେ ସମସ୍ତ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲାରେ ମୃତ ବ୍ୟକ୍ତିଙ୍କ ନାମରେ ଥିବା ରାସନ୍‌ କାର୍ଡ ଗୁଡିକୁ ତୁରନ୍ତ ଖାରଜ କରିବା, ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଯୋଜନାରୁ ବାଦ ଦେବା, ଅନ୍ତୋଦୟ ଯୋଜନାରେ ୩୦ରୁ ୪୦ ପ୍ରତିଶତ ଅଯୋଗ୍ୟ ହିତାଧିକାରୀ ଅନ୍ତର୍ଭୁକ୍ତ ଥିବା ସରକାରଙ୍କ ଦୃଷ୍ଟିକୁ ଆସିଥିବାରୁ ତଦନ୍ତ କରି ସେମାନଙ୍କୁ ବାଦ ଦେବା, ନୂତନ କାର୍ଡ ନିମନ୍ତେ ଆସିଥିବା ଦରଖାସ୍ତ ଗୁଡିକର ଉପଯୁକ୍ତ ତଦନ୍ତ କରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ନୂତନ ରାସନ୍‌ କାର୍ଡ ପ୍ରଦାନ କରିବା, ସର୍ବନିମ୍ନ ସହାୟକ ମୂଲ୍ୟ ଯେମିତି ଦଲାଲଙ୍କ ହାତକୁ ନଯାଇ ପ୍ରକୃତ ଚାଷୀ ପାଇବେ, ସମବାୟ ସଂସ୍ଥା ଦ୍ୱାରା ପ୍ରତ୍ୟେକ ମଣ୍ଡିରେ ଚାଷୀ ମାନଙ୍କ ନିମନ୍ତେ ପାନୀୟ ଜଳ ଯୋଗାଣ, ଶୌଚାଳୟ, ବିଶ୍ରାମ ସ୍ଥାନ ତଥା ଆନୁଷଙ୍ଗୀକ ସୁବିଧାର ବ୍ୟବସ୍ଥା କରିବା ନିମନ୍ତେ ମନ୍ତ୍ରୀ ନିର୍ଦେଶ ଦେଇଥିଲେ । ସଭାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଉପଜିଲ୍ଲାପାଳ, ଧର୍ମଗଡ ଧୀମନ ଚକମା, ଭାରପ୍ରାପ୍ତ ଉପ-ଜିଲ୍ଲାପାଳ ଭବାନୀପାଟଣା ଜୟଦେବ ଦାସ, ସି.ଏସ୍‌.ଓ, କଳାହାଣ୍ଡି, ଡି.ଆର୍‌.ସି.ଏସ୍‌, ଡି.ପି.ସି., ମିସନ ଶକ୍ତି, ଏ.ସି.ଏସ୍‌.ଓ ଓ ସମସ୍ତ ବ୍ଲକର ଏମ୍‌.ଆଇ ଉପସ୍ଥିତ ଥିଲେ ।

Leave A Reply

Your email address will not be published.