ବରଗଛ ଓହଳରେ ଗାମୁଛା ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ବଳିଆବାହାଲ ଗ୍ରାମର ଅଷାଡୁ ମାଝୀ ଗ୍ରାମ ନିକଟରେ ଥିବା ଜଙ୍ଗଲ ପାଦଦେଶରେ ଏକ ବରଗଛର ଓହଳରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଖପ୍ରାଖୋଲ ଥାନା ଅନ୍ତର୍ଗତ ବଳିଆବାହାଲ ଗ୍ରାମର ଅଷାଡୁ ମାଝୀ(୪୪) ଗତ ରବିବାର ସକାଳ ସମୟରେ ଘର ଲୋକଙ୍କ ଅଜାଣତରେ ଘରୁ କୁଆଡେ ଚାଲିଯାଇଥିଲେ । ସକାଳୁ ଘର ଲୋକ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖବର ପାଇ ନଥିଲେ । ପରେ ଆଜି ସକାଳୁ କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକେ ନିକଟସ୍ଥ ଜଙ୍ଗଲ ନିକଟରେ ଥିବା ଏକ ବରଗଛର ଓହଳରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ପରିବାର ଲୋକ ଖପ୍ରାଖୋଲ ଥାନାକୁ ଯାଇ ଏ ବାବଦରେ ଖବର ଦେଇଥିଲେ । ଖବର ପାଇ ଖପ୍ରାଖୋଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା ୟୁ ଡି କେସ ନଂ ୧୦/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି । ସୂଚନା ଥାଉ କି ପାରିବାରିକ ଅଶାନ୍ତି ଯୋଗୁଁ ମୃତକ ଅଷାଡୁ ମାଝୀଙ୍କ ସ୍ତ୍ରୀ ଗୋମତୀ ମାଝୀ ନିଜଗାଁ ଯମୁନାପାଲିରେ କିଛି ଦିନ ହେଲା ରହୁଥିଲେ । ଘଟଣାର ଖବର ପାଇ ସେ ମଧ୍ୟ ଆଜି ବଳିଆବାହାଲ ଗ୍ରାମକୁ ଫେରିଥିଲେ । ତାଙ୍କ କହିବା ଅନୁଯାୟୀ ବାହା ଘରର ବହୁ ବର୍ଷ ବିତି ଯାଇଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ତାନ ନଥିଲା କିନ୍ତୁ ଗତ ବର୍ଷ ସେ ମାଁ ହେବାକୁ ଯାଇ ଶେଷ ସମୟରେ ଗୋଟିଏ ମୃତ ସନ୍ତାନକୁ ଜନ୍ମ ଦେଇଥିଲେ । ଏହା ପରେ ପରେ ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରତ୍ୟେକ ଦିନ କଳହ ସୃଷ୍ଟି ହେଉଥିଲା । ମୃତ ଛୁଆ ବିଷୟରେ ଭାବି ଭାବି ମୃତକ ଅଷାଡୁ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଶେଷରେ ସେ ନିଜେ ନିଜର ଜୀବନକୁ ହରାଇ ଦେଇଥିବା ତାଙ୍କ ସ୍ତ୍ରୀ ଅନୁମାନ କରୁଛନ୍ତି । ଏହି ଦୁଃଖଦ ଘଟଣାରେ ମୃତକଙ୍କ ମାଁ ଏବଂ ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ବୃଦ୍ଧା ଶାଶୁଙ୍କ ସହ କେମିତି ଚଳିବେ ଏହା ଭାବି ଦୁଃଖରେ କାନ୍ଦି ସ୍ତବ୍ଧ ହୋଇଯାଇଛନ୍ତି ଗୋମତୀ । ସରକାରଙ୍କ ଦ୍ୱାରା କିଛି ସାହାଯ୍ୟ ମିଳିଲେ ବହୁତ ଭଲ ହେବ ବୋଲି ଗ୍ରାମର ଲୋକ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.