ଲାଞ୍ଚ ନେବା ପଡିଲା ମହଙ୍ଗା : ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଗ୍ରାମ୍ୟ ନିର୍ମାଣ ଉପବିଭାଜନ ବିଭାଗର ସହକାରୀ ଯନ୍ତ୍ରୀ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଭିଜିଲାନ୍ସ ଜାଲରେ ଆଉ ଜଣେ ଦୁର୍ନୀତିଖୋର ଅଧିକାରୀ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଗ୍ରାମ୍ୟ ନିର୍ମାଣ ଉପବିଭାଜନ ବିଭାଗର ସହକାରୀ ଯନ୍ତ୍ରୀ ସୁଜିତ କୁମାର ପାଢ଼ୀ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁଯାୟୀ ସ୍ଥାନୀୟ ଠିକାଦାର ଜୟନ୍ତ ମେହେର ପାଟଣାଗଡ଼ ବ୍ଲକ ବର୍ଥଲା ଆର୍‌ଆଇ ଅଫିସ ତିଆରି କରିଥିବାରୁ ବିଲ୍‌ ପାଇଁ ବାରମ୍ବାର କହି ଆସୁଥିଲେ ମଧ୍ୟ ସହକାରୀ ଯନ୍ତ୍ରୀ ବିଲ୍‌ ପାସ୍‌ ନକରି ହଇରାଣ କରୁଥିଲେ । ଶ୍ରୀ ପାଢ଼ୀ ସମ୍ପୃକ୍ତ ଠିକାଦାରକୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଠିକାଦାର ଜଣଙ୍କ ୫୦ ହଜାର ଟଙ୍କା ପ୍ରଥମ କିସ୍ତିରେ ଏସ୍‌ଡ଼ିଓଙ୍କୁ ଦେଇଥିବା ବେଳେ ଦ୍ଵିତୀୟ କିସ୍ତି ପାଇଁ ବାରମ୍ବାର ଠିକାଦାର ଉପରେ ଚାପ ପକାଉଥିଲେ । ଦ୍ଵିତୀୟ କିସ୍ତି ୫୦ ହଜାର ଟଙ୍କା ଦେବା ଆଗରୁ ଭିଜିଲାନ୍ସର ଆଶ୍ରୟ ନେଇଥିଲେ ସମ୍ପୃକ୍ତ ଠିକାଦାର । ଠିକାଦାର ଜୟନ୍ତ ମେହେରଙ୍କ ଠାରୁ ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜାଲାନ୍ସ ଦଳ ମାଡି ବସିଥିଲା । ଏସ୍‌ଡ଼ିଓ ସୁଜିତ କୁମାର ପାଢ଼ୀଙ୍କ ସହ କାର୍ଯ୍ୟାଳୟର ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ତଦନ୍ତ ପାଇଁ ବଲାଙ୍ଗିର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଯାଇଥିବା ଜଣାଯାଇଛି, ଚଢ଼ାଉରେ ସୋନପୁର, ସମ୍ବଲପୁର ଓ ବରଗଡ଼ ଭିଜିଲାନ୍ସ ଟିମ୍‌ ସାମିଲ ଥିବା ଜଣାପଡିଛି । ଏନେଇ ସମ୍ବଲପୁର ଭିଜିଲାନ୍ସ କେସ୍‌ ନଂ ୧୭/୨୦୨୪ରେ ୭ ପିସି (ଏମେଣ୍ଡମେଣ୍ଟ) ଆକ୍ଟ ୨୦୧୮ ଅନୁଯାୟୀ କେସ୍‌ ରୁଜୁ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.