
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ସହ ସେମାନଙ୍କ ସୃଜନଶୀଳତାକୁ ଉଜାଗର କରିବା ଲକ୍ଷ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଲଣ୍ଡାଗାଁ ପଞ୍ଚାୟତ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦ଟି ବିଦ୍ୟାଳୟରୁ ୧୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ କଳ୍ପନା କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ଓ ଧୂପ ପ୍ରଜ୍ଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ବିଜେପି ନେତା ଦେବେନ୍ଦ୍ର କୁଦେଇ ମୁଖ୍ୟବକ୍ତା ଏବଂ ଅଭିରାମ ରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ରଣା, ପୂର୍ବତନ ସଭାପତି ସଦାନନ୍ଦ କୁଦେଇ, ଆଞ୍ଚଳିକ ସାଧନା ସଂଯୋଜକ ରମେଶ ଚନ୍ଦ୍ର ସୁବୁଦ୍ଧି, ଦିବ୍ୟଲୋଚନ ମହାରଣା ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୧୦ଟି ଇଭେଣ୍ଟକୁ ତିନୋଟି ସ୍ତରରେ ଆୟୋଜନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀ ମାନେ ନିଜର ଜ୍ଞାନ, ଦକ୍ଷତା ଓ ସୃଜନଶୀଳତା ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ । ଏଭଳି ପ୍ରତିଯୋଗିତା ଶିକ୍ଷା ସହିତ ପିଲାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଓ ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସଞ୍ଜୀବ ବେହେରା, ମନୋଜ କୁମାର ସାହୁ, ବିଭୁ ପ୍ରସାଦ କହଁର, ଅନାମ ପଣ୍ଡା ଓ ମଦନ ମୋହନ ପଣ୍ଡାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ଆଞ୍ଚଳିକ ସାଧନା ସଂଯୋଜକ ରମେଶ ଚନ୍ଦ୍ର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ ।