୧୬ ଟଙ୍କାର ସପିଙ୍ଗ୍‌ ବ୍ୟାଗ୍‌ ପାଇଁ ୩୩ ହଜାର ଫାଇନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରାୟ ୩ ହଜାର ଟଙ୍କାର ସାମଗ୍ରୀ କିଣିବା ପରେ ବି ସପିଙ୍ଗ୍‌ ବ୍ୟାଗ୍‌ଟିଏ ବି ଦେଲେନାହିଁ । ଓଲଟି ବ୍ୟାଗ୍ ବାବଦରେ ଯୋଡ଼ିଲେ ଅତିରିକ୍ତ ୧୬ ଟଙ୍କା । କଥା ଏତିକିରେ ତୁଟିଲାନି । ପ୍ରତିବାଦ କରିବାରୁ ଉପଭୋକ୍ତାଙ୍କୁ ଅସଦ୍ ବ୍ୟବହାର କଲେ । ମେଗାମାର୍ଟ କର୍ମଚାରୀ ଗାଳିଗୁଲଜ କରିବାକୁ ପଛେଇଲେନି । ଏ ସମ୍ପର୍କିତ ମାମଲାର ଶୁଣାଣି କରି ବଲାଙ୍ଗିର ଜିଲ୍ଲା ଖାଉଟି ଅଦାଲତ ବିଶାଳ ମେଗାମାର୍ଟକୁ ୩୩ ହଜାର ଟଙ୍କା ଫାଇନ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ସେପ୍ଟେମ୍ବର ୨୬ରେ ଉପଭୋକ୍ତା ସୂର୍ଯ୍ୟକାନ୍ତ ବାଗ ଉକ୍ତ ମାର୍ଟରୁ ୯ଖଣ୍ଡ ଡ୍ରେସ୍‌ କିଣିଥିଲେ । ବିଲିଂ କାଉଣ୍ଟରକୁ ଯିବା ପରେ ତାଙ୍କୁ ୨୯୪୧ ଟଙ୍କା ଦେବାକୁ କୁହାଯାଇଥିଲା । ଯେଉଁଥିରେ ୧୬ ଟଙ୍କାର ଏକ ସପିଙ୍କ୍‌ ବା କ୍ୟାରି ବ୍ୟାଗ୍ ବି ଯୋଡ଼ା ଯାଇଥିଲା । ଉକ୍ତ ୧୬ ଟଙ୍କା କାହିଁକି ନିଆଗଲା ବୋଲି ଶ୍ରୀ ବାଗ ପଚାରିବାରୁ ମେଗାମାର୍ଟ ପରିଚାଳକ ଆସି ପାଟିତୁଣ୍ଡ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଡାକି ଶୀଘ୍ର କାଉଣ୍ଟର ଖାଲି କରାଇବାକୁ କହିଥିଲେ । ଏହାପରେ ଶ୍ରୀ ବାଗ ୨୦୨୩ ଅକ୍ଟୋବର ୨୦ରେ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲା । ଏଥିସହ ଅଭିଯୋଗ ସଂକ୍ରାନ୍ତ ସମସ୍ତ ପ୍ରମାଣପତ୍ର ବି ଦାଖଲ କରିଥିଲେ । ପ୍ରମାଣପତ୍ର ଆଧାରରେ ଖାଉଟି ଅଦାଲତ ମେଗାମାର୍ଟକୁ ଫାଇନ୍ ନିର୍ଦ୍ଦେଶ ଦେଇଛି । କ୍ୟାରି ବ୍ୟାଗ୍ ବାବଦକୁ ୧୬ ଟଙ୍କା ସହ ସେବାରେ ଅବହେଳା ପାଇଁ ୨୦ ହଜାର, ମାନସିକ ଯନ୍ତ୍ରଣା ଓ ଦୁର୍ବ୍ୟବହାର ପାଇଁ ୧୦ ହଜାର ଏବଂ ମାମଲା ସମ୍ବନ୍ଧୀୟ ଖର୍ଚ୍ଚ ବାବଦକୁ ୩ ହଜାର ଟଙ୍କା ମାସକ ଭିତରେ ପ୍ରଦାନ କରିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.