ଦ୍ଵିତୀୟ ବିବାହ କରୁଥିଲେ ସ୍ୱାମୀ : ପ୍ରଥମ ସ୍ତ୍ରୀକୁ ମଣ୍ଡପରେ ଦେଖି ସ୍ୱାମୀ ଫେରାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପ୍ରଥମ ସ୍ତ୍ରୀ ଏବଂ ଦୁଇଟି ସନ୍ତାନ ଥାଉ ଥାଉ ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ, ବିବାହ ମଣ୍ଡପକୁ ପ୍ରଥମ ସ୍ତ୍ରୀ ପହଞ୍ଚିଲା ବେଳକୁ ସ୍ୱାମୀ ଫେରାର ହୋଇଯାଇଥିବା କହିଛନ୍ତି ପୀଡ଼ିତା ମହିଳା । ଏଭଳି ଏକ ହାଇ ଭୋଲ୍ଟେଜ ନାଟକୀୟ ଘଟଣା ବୁଧବାର ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଠାରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଲାଠୋର ଥାନା ଅନ୍ତର୍ଗତ ସରେଇବାହାଲ ଗ୍ରାମର ତୁଳସୀ ରଣା ଲାଠୋରର ରଘୁ ରଣା ହିନ୍ଦୁ ରୀତିନୀତି ଅନୁସାରେ ୨୦୧୧ରେ ବିବାହ କରିଥିଲେ । ଦୀର୍ଘ ବର୍ଷ ଧରି ଏମାନଙ୍କର ପାରିବାରିକ ସମ୍ପର୍କ ବେଶ୍‌ ହସ ଖୁସିରେ ଚାଲିଥିଲା । ଉଭୟଙ୍କର ୨ଟି ପୁତ୍ର ସନ୍ତାନ ମଧ୍ୟ ରହିଛନ୍ତି । ବଡ ପୁଅକୁ ୧୨ ବର୍ଷ ହୋଇଥିବା ବେଳେ ସାନ ପୁଅକୁ ୧୦ ବର୍ଷ । ତେବେ ବିବାହର କିଛି ବର୍ଷ ପରେ ସତେ ଯେମିତି ତାଙ୍କ ସୁଖ ସଂସାରକୁ କାହାରି ନଜର ଲାଗିଯାଇଥିଲା । ସ୍ୱାମୀଙ୍କ ଅତ୍ୟଧିକ ନିଶା ସେବନ ଏବଂ ପତ୍ନୀଙ୍କୁ ନିର୍ଯ୍ୟାତନା ହେତୁ ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗିରହିଥିଲା ବୋଲି ପୀଡ଼ିତା ମହିଳା ଜଣକ କହିଛନ୍ତି । ସେଥିପାଇଁ ୬ ମାସ ହେଲା ଦୁହେଁ ଅଲଗା ରହୁଥିଲେ । ତେବେ ଏନେଇ ଦୁଇଜଣଙ୍କ ମଧ୍ୟରେ ଛାଡପତ୍ର କୋର୍ଟରେ ବିଚାରାଧୀନ ଥିବା ବେଳେ ରଘୁ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ଯୋଜନା କରୁଥିବା ଜାଣିବାକୁ ପାଇଥିଲେ ପ୍ରଥମ ପତ୍ନୀ ତୁଳସୀ । ଏହା ଜାଣିବା ପରେ ତୁଳସୀ ମଣ୍ଡପରେ ପହଞ୍ଚି ଯାଇଥିଲେ । ପ୍ରଥମ ସ୍ତ୍ରୀ ତୁଳସୀ ବିବାହକୁ ପହଞ୍ଚି ଯାଇଥିବା ଜାଣି ସ୍ୱାମୀ ବିବାହ ମଣ୍ଡପରୁ କୁଆଡେ ଫେରାର ହୋଇଯାଇଥିଲେ । ପରେ ମହିଳା ଜଣକ ଲାଠୋର ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଲାଠୋର ଥାନା କେସ ନଂ ୧୫୪/୨୦୨୪ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚାଲିଥିବା ଲାଠୋର ଥାନା ଅଧିକାରୀ ରାକେଶ ବେହେରା ପ୍ରକାଶ କରିଛନ୍ତି । ଏହି ଘଟଣାରେ ମହିଳା ଜଣକ କହିଛନ୍ତି – ମୁଁ ଫେବୃଆରୀ ୨୮, ୨୦୧୧ରେ ରଘୁ ରଣାଙ୍କୁ ବିବାହ କରିଥିଲି । ଆମର ଛାଡପତ୍ର ମାମଲା ବିଚାରାଧୀନ ଥିବାବେଳେ ସେ ଦ୍ୱିତୀୟ ଥର ବିବାହ କରୁଥିଲେ । ତେବେ ଛାଡପତ୍ର ପରେ ସେ ବିବାହ କରିପାରିବେ, କିନ୍ତୁ ମୋତେ ନ୍ୟାୟାଳୟ ତରଫରୁ ଉଚିତ ନ୍ୟାୟ ମିଳୁ ବୋଲି ପୀଡ଼ିତା ମହିଳା ଗୁହାରୀ କରିଛନ୍ତି ।

Leave A Reply

Your email address will not be published.