ଓଡ଼ିଆ ଅସ୍ମିତାର ପ୍ରତୀକ ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ ସ୍ଥିତ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ ଓଡ଼ିଆ ଅସ୍ମିତାର ପ୍ରତୀକ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ୧୦୨ତମ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଶିକ୍ଷା ନିକେତନର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସୌଦାମିନୀ ମୁଦାଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ମୁଖ୍ୟଅତିଥି, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଓ ମଞ୍ଚର ଆବାହକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ କଥା ସମ୍ରାଟଙ୍କ ଜୀବନାଦର୍ଶ ଓ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତା ଏହି ଅବସରରେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, କଥା ସମ୍ରାଟ ସୁରେନ୍ଦ୍ରଙ୍କ ସାହିତ୍ୟ ରଚନା ଥିଲା ତାଙ୍କ ପାଇଁ ପବିତ୍ର ତୀର୍ଥଭୂମି, ସାହିତ୍ୟ ଥିଲା ଶ୍ରଦ୍ଧା ଓ ସୌହାଦ୍ଦ୍ୟର ତୀର୍ଥସ୍ଥଳୀ । ତାଙ୍କ ଲେଖାରେ ତପସ୍ୟାସିଦ୍ଧ ସ୍ଵାତନ୍ତ୍ର ଥିଲା । ସମାଜର ସାଧାରଣ ମଣିଷର ଚିତ୍ର, ତାଙ୍କ ଚାରିପାଖରେ ଘୁରୁଥିବା ସାମାଜିକ ରାଜନୈତିକ ଚରିତ୍ର ଗୁଡିକ ତାଙ୍କ ଗଳ୍ପର ପରିସାମା ଭିତରେ ରହିଛନ୍ତି । ପ୍ରକୃତରେ ସେ ଥିଲେ ଓଡ଼ିଆ ସାହିତ୍ୟର ସଫଳ କାଳଜୟୀ ଔପନ୍ୟାସିକ । ଏହା ସହ ସେ ସୃଷ୍ଟି କରିଯାଇଥିବା ପୁସ୍ତକ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଭାପତିତ୍ୱ ଅଭିଭାଷଣରେ ସୁଶ୍ରୀ ମୁଦାଲି ତାଙ୍କ ବକ୍ତବ୍ୟରେ କହିଲେ ଯେ, ସୁରେନ୍ଦ୍ର ମହାନ୍ତିଙ୍କ ଦ୍ୱାରା ସୃଷ୍ଟି ଇତିହାସ, ଗଳ୍ପ, ଉପନ୍ୟାସ, ପ୍ରବନ୍ଧରେ ତାଙ୍କ ଯାଦୁକରୀ ଶକ୍ତି ନିହିତ ଅଛି । ସେ ଥିଲେ ଜଣେ ଯଶସ୍ୱୀ ସାହିତ୍ୟ ସାଧକ । ଏହି ଅବସରରେ ବିଦ୍ୟାଳୟର ଅଂଶୁମାନ ନାୟକ, ଆୟୁଷ୍ମାନ ଜେନା, ଅଂଶୁମାନ ବିଶୋଇ, ସାଇ ରଞ୍ଜନ ସାହୁ ଓ ଭାଗ୍ୟଶ୍ରୀ କିଷାନ କଥା ସମ୍ରାଟଙ୍କ ସମ୍ପର୍କରେ ପ୍ରବନ୍ଧ ପାଠ କରିଥିଲେ । ସେହିପରି ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍‌ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ଦାସ, ବିପିନ ବିହାରୀ ସାମନ୍ତସିଂହାର, ତରୁଣ କୁମାର ସାହୁ ପ୍ରମୁଖ ସହଯୋଗ କରିଥିବାବେଳେ ଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.