oom

ବଲାଙ୍ଗିରରେ ନାମାଙ୍କନ ପତ୍ର ଦାଖଲ କଲେ ତିନି ଜଣ ବିଜେପି ପ୍ରାର୍ଥୀ : ସଂଗୀତାଙ୍କ ସହ ଗୋପାଳଜୀ ଓ ମୁକେଶ ବିଜୟ ପାଇଁ ଢେର୍‌ ଆଶାବାଦୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ସହରରେ ବିଜେପି ନେତା, କର୍ମକର୍ତ୍ତାଙ୍କ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଛି । ତିନିଜଣ ବିଜେପି ପ୍ରାର୍ଥୀ ସେମାନଙ୍କ ନାମଙ୍କନ ପତ୍ର ଦାଖଲ କରିଛନ୍ତି । ବଲାଙ୍ଗିର ବିଜେପି ସାଂସଦ ପ୍ରାର୍ଥୀ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ତାଙ୍କ ସ୍ୱାମୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ହଜାର ହଜାର ଶୁଭେଚ୍ଛୁ, ସମର୍ଥକମାନଙ୍କ ସହ ମା’ ସମଲେଶ୍ୱରୀ ଏବଂ ମା’ ପାଟଣେଶ୍ୱରୀଙ୍କ ଆଶୀର୍ବାଦ୍‌ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଂଚି ନାମାଙ୍କନ ଦାଖଲ କରିଛନ୍ତି । ଶ୍ରୀମତୀ ସିଂହଦେଓ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ସାରା ଦେଶରେ ବିକାଶମୂଳକ କାର୍ଯ୍ୟ ହୋଇଛି । ବଲାଙ୍ଗିରରେ ମଧ୍ୟ ଏହାର ଅନେକ ଉଦାହରଣ ରହିଛି । ଚଳିତ ନିର୍ବାଚନରେ ଭାଜପା ପ୍ରତି ଲୋକଙ୍କ ବିପୁଳ ଜନସମର୍ଥନ ରହିଛି ବୋଲି କହିଛନ୍ତି ଶ୍ରୀମତୀ ସିଂହଦେଓ । କଂଟାବାଂଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଧାୟକ ପ୍ରାର୍ଥୀତ୍ୱକୁ ନେଇ ସେ କହିଛନ୍ତି ଯେ, ଏହାର ପ୍ରଭାବ ତ’ ନିଶ୍ଚୟ ରହିବ । ଏହାକୁ କେହି ଅସ୍ୱୀକାର କରି ପାରିବେ ନାହିଁ । କିନ୍ତୁ ଯେହେତୁ ବିଜେଡ଼ି ପ୍ରତି ଲୋକଙ୍କ ଆସ୍ଥା ତୁଟିଛି ଏବଂ ଜନସାଧାରଣଙ୍କ ବିଜେପି ଉପରେ ଆସ୍ଥା ରହିଛି, ଏଣୁ ବଲାଙ୍ଗିର ସଂସଦ କ୍ଷେତ୍ରରେ ବିଜେପି ନିଶ୍ଚୟ ବିଜୟୀ ହେବ ବୋଲି ସେ କହିଛନ୍ତି । ଜୟ ଶ୍ରୀରାମ ନାରା ସହ ବିଜେପି ସ୍ଲୋଗାନ୍‌ରେ ଆଜି କଂପି ଉଠିଛି ବଲାଙ୍ଗିର ସହର । ବଲାଙ୍ଗିର ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ମଧ୍ୟ ନିଜ ସମର୍ଥକ, ଶୁଭେଚ୍ଛୁମାନଙ୍କ ସହ ମିଶି ଦେବୀଙ୍କ ଆଶୀର୍ବାଦ୍‌ ଭିକ୍ଷା କରି ବଲାଙ୍ଗିର ଉପଜିଲ୍ଲାପାଳଙ୍କ ଠାରେ ନିଜର ନାମାଙ୍କନ ପତ୍ର ଦାଖଲ୍‌ କରିଥିବା ଦେଖିବାକୁ ମିଳିଛି । ନାମାଙ୍କନ ପତ୍ର ଦାଖଲ ପରେ ଗୋପାଳଜୀ କହିଛନ୍ତି ଯେ, ବଲାଙ୍ଗିର ସଂସଦ କ୍ଷେତ୍ରର ୭ଟି ଯାକ ବିଧାୟକ ଆସନ ସହ ସାଂସଦ ଆସନରେ ବିଜେପି ଜିତିବ । ଚଳିତ ଥର ଓଡ଼ିଶାରେ ଡବଲ୍‌ ଇଂଜିନ୍‌ ସରକାର ଆସିବ ବୋଲି ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି । ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ସମସ୍ୟାମୟ ବୋଲି ମଧ୍ୟ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଗୋପାଳଜୀ । ଅନ୍ୟପକ୍ଷରେ ବିଗତ ଦିନରେ ବଲାଙ୍ଗିରର ଅନେକ ସମସ୍ୟାକୁ ନେଇ ସେ ତାଙ୍କ ସାଥୀ ସଂଗଠକଙ୍କୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏବଂ ବଲାଙ୍ଗିରବାସୀଙ୍କ ହକ୍‌ ପାଇଁ ଲଢେ଼ଇ କରିଛନ୍ତି । ଏଣୁ ତାଙ୍କ ପ୍ରତି ବଲାଙ୍ଗିରବାସୀଙ୍କ ପ୍ରଚୂର ଭଲପାଇବା ଓ ସମର୍ଥନ ରହିଥିବା ମଧ୍ୟ କହିଛନ୍ତି ଗୋପାଳଜୀ । ସେହିପରି ଲୋଇସିଂହା ବିଜେପି ବିଧାୟକ ପ୍ରାର୍ଥୀ ଡ. ମୁକେଶ ମହାଲିଙ୍ଗ ନିଜ ସାଥୀ ସମର୍ଥକଙ୍କୁ ନେଇ ମା’ ସମଲେଶ୍ୱରୀ ଏବଂ ମା’ ପାଟଣେଶ୍ୱରୀଙ୍କ ଆଶୀର୍ବାଦ୍‌ ନେଇ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିଜ ପ୍ରତିକ୍ରିୟାରେ ଡ. ମହାଲିଙ୍ଗ କହିଛନ୍ତି ଯେ, ଚଳିତ ଥର ବିଜେଡ଼ିକୁ ପରାଜିତ କରି ଲୋକେ ବିଜେପିକୁ ସରକାର ଗଢ଼ିବା ପାଇଁ ସୁଯୋଗ ଦେବେ । ସାରା ଓଡ଼ିଶାରେ ଅଦ୍ଭୁତପୂର୍ବ ବିଜୟଲାଭ କରିବେ ବିଜେପି ପ୍ରାର୍ଥୀମାନେ । ରାଜ୍ୟରେ ଡବଲ୍‌ ଇଂଜିନ୍‌ ସରକାର ଅବଶ୍ୟମ୍ଭାବୀ ବୋଲି ମତ ଦେଇଛନ୍ତି ଡ. ମହାଲିଙ୍ଗି । ତେବେ ତିନି ଜଣ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ୍‌ ସମୟରେ ସେମାନଙ୍କ ସାଥୀ, ସମର୍ଥକ, ଶୁଭେଚ୍ଛୁଙ୍କ ଭିଡ଼ରେ ଆଜି ବଲାଙ୍ଗିର ସହରରେ ବେଶ୍‌ ଭିଡ଼ ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.