jayashree

ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ : ଶବ ଫେରାଇ ଆଣିବାକୁ ଅର୍ଥାଭାବ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି । ଜୀବିକା ଅନ୍ୱେଷଣରେ ଘରଠାରୁ ହଜାର ହଜାର କିଲୋମିଟର ଦୂର ତାମିଲନାଡୁକୁ ଯାଇଥିବା ଯୁବକଙ୍କ ଜୀବନ ଅଧାବାଟରେ ଥମିଯାଇଥିବା ବେଳେ ଏବେ ତାଙ୍କ ମରଶରୀରକୁ ନିଜ ଜନ୍ମମାଟିକୁ ଫେରାଇ ଆଣିବା ପାଇଁ ଅର୍ଥାଭାବ ବଡ଼ ପ୍ରତିବନ୍ଧକ ସାଜିଛି । ଗୋଟିଏ ପଟେ ପୁଅକୁ ହରାଇବାର ଅସହ୍ୟ ଦୁଃଖ, ଅନ୍ୟପଟେ ଶେଷଥର ପାଇଁ ପୁଅର ମୁହଁ ଦେଖିବାକୁ ଅସମର୍ଥ ବାପାଙ୍କ ଅସହାୟତା ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି । ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଅନ୍ତର୍ଗତ ଲେତିଙ୍ଗିଆ ପଞ୍ଚାୟତର କିଲୁପାଙ୍ଗା ଗ୍ରାମର ୨୨ ବର୍ଷୀୟ ଯୁବକ ଆଖନ ଦିଗାଲ ଗତ ପାଞ୍ଚ ମାସ ତଳେ ରୋଜଗାର ଆଶାରେ ତାମିଲନାଡୁ ରାଜ୍ୟକୁ ଯାଇଥିଲେ । ସେଠାରେ ତିରୁଭାଲ୍ଲୁର ଜିଲ୍ଲାର ସିଡକ ଅଞ୍ଚଳର ଫେଜ୍‌-୩ରେ ଥିବା ଫଷ୍ଟିଭାଲ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଲୁହା କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ । ପରିବାରର ଆର୍ଥିକ ସ୍ଥିତି ସୁଧାରିବା ଏବଂ ଘରର ଅଭାବ ଦୂର କରିବା ଆଶାରେ ସେ ଘରଠାରୁ ଦୂରରେ ରହି କାର୍ଯ୍ୟ କରୁଥିଲେ । ତେବେ ଗତ କିଛିଦିନ ହେବ ତାଙ୍କ ଶରୀର ଅସୁସ୍ଥ ରହିଥିଲା । ଏହାରି ମଧ୍ୟରେ ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ତାଙ୍କ ସହିତ ରହୁଥିବା ବନ୍ଧୁମାନେ ଫୋନ୍‌ ଯୋଗେ ଏହି ଦୁଃଖଦ ଖବର ପରିବାରବର୍ଗଙ୍କୁ ଜଣାଇଥିଲେ । ଖବର ପାଇବା ପରଠାରୁ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମାତ୍ର ୨୨ ବର୍ଷ ବୟସରେ ପୁଅର ଅକାଳ ବିୟୋଗକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ସବୁଠାରୁ ହୃଦୟବିଦାରକ ଘଟଣା ହେଉଛି, ମୃତ ଆଖନଙ୍କ ପିତା ଆବେଦନ ଦିଗାଲ ଜଣେ ଅଟୋଚାଳକ । ଅଟୋ ଚଳାଇ ଯାହା ରୋଜଗାର କରନ୍ତି, ସେଥିରେ ପରିବାରର ଗୁଜୁରାଣ ମେଣ୍ଟାଇବା ମଧ୍ୟ କଷ୍ଟକର ହୋଇପଡ଼ୁଛି । ଏଭଳି ପରିସ୍ଥିତିରେ ତାମିଲନାଡୁରୁ ପୁଅର ମରଶରୀରକୁ ନିଜ ଗାଁକୁ ଆଣିବା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ଯେଉଁ ପୁଅର ରୋଜଗାରରେ ପରିବାରର ଦୁଃଖ ଦୂର ହେବ ବୋଲି ଆଶା ରଖିଥିଲେ, ଆଜି ସେହି ପୁଅର ଶେଷକୃତ୍ୟ ପାଇଁ ମଧ୍ୟ ଅନ୍ୟର ସହାୟତା ଅପେକ୍ଷାରେ ରହିଛନ୍ତି ପରିବାର । ଏହି ଘଟଣାକୁ ନେଇ କିଲୁପାଙ୍ଗା ଗ୍ରାମରେ ଗଭୀର ଶୋକ ପ୍ରକାଶ ପାଇଥିବା ବେଳେ ଗ୍ରାମବାସୀ ଓ ସମାଜସେବୀ ପ୍ରମୋଦ ମଲିକ ଜିଲ୍ଲା ପ୍ରଶାସନଙ୍କ ନିକଟରେ ହସ୍ତକ୍ଷେପ କରିବାକୁ ଦାବି ଜଣାଇଛନ୍ତି । ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ତାମିଲନାଡୁରୁ ମୃତ ଯୁବକଙ୍କ ଶବକୁ ନିଜ ଗ୍ରାମକୁ ଆଣିବା ପାଇଁ ପରିବହନ ବ୍ୟବସ୍ଥା ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି, ଜୀବିକା ପାଇଁ ରାଜ୍ୟ ବାହାରକୁ ଯାଇ ଜୀବନ ହରାଉଥିବା ଗରିବ ଶ୍ରମିକଙ୍କ ପରିବାରକୁ ଏଭଳି ସଙ୍କଟ ସମୟରେ କିଏ ସହାୟତାର ହାତ ବଢ଼ାଇବ ? ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରି ଅସହାୟ ପରିବାରକୁ ସହାୟତା ଯୋଗାଇଦେବା ସହ ମୃତଦେହକୁ ସମ୍ମାନର ସହ ଜନ୍ମମାଟିକୁ ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ଦାଦନ ଯନ୍ତ୍ରଣାର ଏହି କରୁଣ କାହାଣୀ ପୁଣିଥରେ କନ୍ଧମାଳରେ ଦାଦନ ସମସ୍ୟାର ଭୟାବହତାକୁ ସାମ୍ନାକୁ ଆଣିଛି ।

Leave A Reply

Your email address will not be published.