ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳା : ସୀତା ଚୋରି ବେଳେ ରାବଣର ଅଟ୍ଟହାସ୍ୟରେ କଂପିଲା ମଂଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ଗତ ରାତିରେ ମଂଚସ୍ଥ ହୋଇଛି ସୀତା ଚୋରି । ସୀତା ଚୋରି ବେଳେ ଦଶାନନ ରାବଣର ଅଟ୍ଟହାସ୍ୟରେ କଂପିଉଠିଥିଲା ରାମଲୀଳା ମଂଚ । ଅନ୍ୟପଟେ ଜନକସୂତା ଜାନକୀଙ୍କ କରୁଣ କ୍ରନ୍ଦନରେ ହଜାର ହଜାର ଦର୍ଶକ ମୁବ୍ଧ ହୋଇଯାଇଥିଲେ । ଲଙ୍କାପତି ରାବଣ ନିଜ ଭଉଣୀ ସୁର୍ପଣଖାର ନାଶା କର୍ଣ୍ଣ ଛେଦନ ସମ୍ବାଦ ପାଇ ସୀତା ହରଣ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ମାୟା ସ୍ୱର୍ଣ୍ଣ ମୃଗ ଆଳରେ କପଟ କରି ସୀତାଙ୍କୁ ହରଣ କରିବାରେ ସଫଳ ହେବା ପରେ ରାବଣର ଅଟ୍ଟହାସ୍ୟ ଦର୍ଶକଙ୍କୁ ଆଚମ୍ବିତ କରି ପକାଇଥିଲା । ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରୁଛନ୍ତି ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ରୁଦ୍ର ନାରାୟଣ ପଟେଲ । ସବୁବେଳେ ରୋଗୀ ସେବାରେ ବ୍ୟସ୍ତ ରହୁଥିବା ଡାକ୍ତର ରୁଦ୍ରନାରାୟଣ ନିଜ ବ୍ୟସ୍ତତା ମଧ୍ୟରୁ ସମୟ କାଢ଼ି ରାବଣ ଭୂମିକାରେ ରାମଲୀଳା ମଂଚରେ ଅଭିନୟ କରୁଥିବା ବେଳେ ତାଙ୍କ ଅଭିନୟ ମଧ୍ୟ ଖୁବ୍‌ ନିଖୁଣ । ଅତି ଆକର୍ଷଣୀୟ ଅଭିନୟରେ ଦର୍ଶକଙ୍କୁ ଆକର୍ଷିତ କରୁଥିବା ଡାକ୍ତର ରୁଦ୍ର ନାରାୟଣ ଭଗବାନ ଶ୍ରୀରାମଙ୍କ କରୁଣାରୁ ତାଙ୍କ ଅଭିନୟରେ ସମୟ ବ୍ୟୟ ହେଉଥିଲେ ସୁଦ୍ଧା ରୋଗୀ ସେବାରେ କୌଣସି ପ୍ରକାର ଅସୁବିଧା ହେଉନଥିବା କହିଛନ୍ତି । ଅନ୍ୟପକ୍ଷରେ ଜଗନ୍ନାଥପଡ଼ା ରାମଲୀଳାରେ ସୀତା ଭୂମିକାରେ ଅଭିନୟ କରୁଛନ୍ତି ଜଣେ ଉଚ୍ଚ ଶିକ୍ଷିତ ଯୁବକ ମାନସ ସାହୁ । ତାଙ୍କ ଅଭିନୟ ମଧ୍ୟ ଅତ୍ୟନ୍ତ ମନଛୁଆଁ ହୋଉଥିବା ବେଳେ ମାନସ ମଧ୍ୟ ଦର୍ଶକଙ୍କୁ ବିମୋହିତ କରିବାରେ ବେଶ୍‌ ସଫଳତା ଅର୍ଜନ କରିଛନ୍ତି ।

Leave A Reply

Your email address will not be published.

five − three =