ଝାରସୁଗୁଡ଼ା : ଛାତ ଉପରୁ ଡେଇଁ ଜଣେ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଝାରସୁଗୁଡ଼ା ଜିଲ୍ଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବାର ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣଙ୍କ ହେଲେ ବେଲପାହାଡ଼ ଥାନା ଅନ୍ତର୍ଗତ ଜୁନାଡ଼ିହି ଗାଁର ସନାତନ ସିଂ । ଖବର ଅନୁଯାୟୀ ଗତବର୍ଷ ଏପ୍ରିଲ ମାସରେ ପକ୍ସୋ ମାମଲାରେ ସନାତନ ସିଂ ଗିରଫ ସହ କୋର୍ଟ ଚାଲାଣ ହୋଇଥିଲେ । ଆଜି ଶୁଣାଣି ଥିବା ବେଳେ କୋର୍ଟ ଭ୍ୟାନ୍ରେ କୋର୍ଟକୁ ଆସିଥିଲେ । କୋର୍ଟ ପ୍ରକ୍ରିୟା ଚାଲିଥିବା ବେଳେ ଅଭିଯୁକ୍ତ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।