ଆନ୍ତଃଜିଲ୍ଲା ମୋବାଇଲ୍‌ ଫୋନ୍‌ ଚୋରକୁ କାବୁ କଲା ବଲାଙ୍ଗିର ଟାଉନ୍‌ ପୋଲିସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତଃଜିଲ୍ଲା ମୋବାଇଲ୍‌ ଫୋନ୍‌ ଚୋରକୁ କାବୁ କଲା ବଲାଙ୍ଗିର ଟାଉନ୍‌ ପୋଲିସ୍‌ । ଏଥିସହିତ ଅଭିଯୁକ୍ତଙ୍କଠାରୁ ୨୨ଟି ଚୋରି ମୋବାଇଲ୍‌ ଫୋନ୍‌ ସହ ଚୋରି ବାଇକ୍‌ ଜବତ୍‌ କରିଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ । ଗଂଜାମ ଜିଲ୍ଲା ଆସ୍କା କୋଟିନାଡ଼ା ଥାନା ଅନ୍ତର୍ଗତ ବରଗେଁ ଗ୍ରାମର ଶିବ ପ୍ରଧାନ(୪୦)ଙ୍କୁ ଏହି ମାମଲାରେ ଗିରଫ୍‌ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ ଶିବ ପ୍ରଧାନ ବାଇକ୍‌ରେ ଚୋରି ମୋବାଇଲ୍‌ ଫୋନ୍‌ ଚାଲାଣ କରୁଥିବା ଖବର ପାଇ ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ ଆଜି ସକାଳ ସାଢେ଼ ୬ଟାରେ ବେହେରାପାଲି ଛକ ନିକଟରେ ବ୍ଲକିଂ କରାଯାଇଥିଲା । ଏତିକି ବେଳେ ଅଭିଯୁକ୍ତ ଶିବଙ୍କୁ କାବୁ କରି ତାଙ୍କ ଠାରୁ ୨୨ଟି ମୋବାଇଲ୍‌ ଫୋନ୍‌ ସହ ଚୋରି ଗ୍ଲେମର୍‌ ବାଇକ୍‌ ଓଡ଼ି୦୩ଡ଼ି୯୫୪୬କୁ ଜବତ୍‌ କରିଛି ପୋଲିସ । ଏହି ମାମଲାରେ ପୋଲିସ ଜଣେ ନାବାଳକଙ୍କୁ ଅଟକ ରଖିଥିବା ବେଳେ ଅଭିଯୁକ୍ତ ଜନଗହଳି ଅଂଚଳରେ ବିଶେଷ କରି ସାପ୍ତାହିକ ବଜାରରୁ ଲୋକଙ୍କ ସାର୍ଟ ପକେଟ୍‌ରୁ ମୋବାଇଲ୍‌ ଚୋରି କରୁଥିବା କୁହାଯାଇଛି । ଅଭିଯୁକ୍ତ ଶିବ ପ୍ରଧାନ ଅନ୍ୟ ଜିଲ୍ଲାରୁ ମୋବାଇଲ୍‌ ଚୋରି କରି ଚୋରା ବାଇକ୍‌ରେ ବଲାଙ୍ଗିର ଅଭିମୁଖେ ଆସୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିବା ସୂଚନା ରହିଛି । ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ସଂପର୍କରେ ଖୁଲାସା କରିଛନ୍ତି ଏସ୍‌ଡିପିଓ ଶ୍ରୀ ସାହୁ । ସାମ୍ବାଦିକ ସମ୍ମିଳନୀରେ ଟାଉନ୍‌ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଓ ଲକ୍ଷ୍ମୀଜୋର ଥାନା ଅଧିକାରୀ ଅନିତା ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ତେବେ ପୋଲିସ ପକ୍ଷରୁ ଜବତ୍‌ ହୋଇଥିବା ମୋବାଇଲ୍‌ ଫୋନ୍‌ର ମଡେ଼ଲ୍‌, କଲର୍‌ ଏବଂ ଆଇଏମ୍‌ଇଆଇ ନମ୍ବର ଜାରି ହୋଇଥିବା ବେଳେ ଉଦ୍ଧାର ହୋଇଥିବା ମୋବାଇଲ୍‌ ଫୋନ୍‌ ଭିତରେ କାହାର ମୋବାଇଲ୍‌ ଫୋନ୍‌ ରହିଥିଲେ ଆବଶ୍ୟକ ପ୍ରମାଣ ଆଧାରରେ ମୋବାଇଲ୍‌ ଫୋନ୍‌ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.