ବ୍ରହ୍ମପୁର, (କେ. ସତ୍ୟନାରାୟଣରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଁଗାଁ, ପୋଟ୍ଟଲାମପୁର, ମହାନାଦାପୁର, ନରେନ୍ଦ୍ରପୁର ଆଦି ଚାରୋଟି ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ଅଞ୍ଚଳ ଭାବେ ଆନୁଷ୍ଠାନିକ ଭାବେ ଘୋଷିତ ହୋଇଥିବା ଜଣାଯାଇଛି । ଛତ୍ରପୁର ସଦରମହକୁମାସ୍ଥିତ ବ୍ଲକସ୍ତରୀୟ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ବୈଠକ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ସୋମବାର ଆୟୋଜିତ ହୋଇଯାଇଛି । ଏହି ବୈଠକରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ମୁନିସିପେଣ୍ଠର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡ଼ା. ସୌମୀୟକାନ୍ତ ମହାପାତ୍ର, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅଶୋକ କୁମାର ଦାସ, ଉପଖଣ୍ଡ ଚିକିତ୍ସାଳୟ (ଛତ୍ରପୁର) ପ୍ରୟୋଗଶାଳା ନିରୀକ୍ଷକ ପଦ୍ମାନନ୍ଦ ଗନ୍ତାୟତ, ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର ସାହୁ, ଛତ୍ରପୁର ବ୍ଲକର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ରହି ଟିବି ଅବା ଯକ୍ଷ୍ମା ରୋଗର ପ୍ରାଦୃର୍ଭାବ, ଲକ୍ଷଣ ଓ ନିରାକରଣ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଭାରତ ସରକାରଙ୍କ ୨୦୨୫ ସୁଦ୍ଧା ସାରା ଭାରତରେ ଯକ୍ଷ୍ମା ମୁକ୍ତ ହୋଇପାରିବ ସେ ନେଇ ନିଜ ଗ୍ରାମ ପଞ୍ଚାୟତରେ କିଭଳି ଭାବରେ ସମସ୍ତେ ନିଜର ପରୀକ୍ଷା କରାଇବା ଏବଂ ସଠିକ୍ ପରାମର୍ଶ ନେବା, ଅଧାରୁ ଔଷଧ ବନ୍ଦ ନ କରିବା ତା’ ହେଲେ ଯାଇ ଯକ୍ଷ୍ମା ରୋଗର ଅନ୍ତ ହୋଇପାରିବ ବୋଲି ଶ୍ରୀ ମହାପାତ୍ର ମତପ୍ରକାଶ କରିଥିଲେ । ଛତ୍ରପୁର ବ୍ଲକର ଉକ୍ତ ଚାରୋଟି ପଞ୍ଚାୟତ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଭାବରେ ରାଜ୍ୟ ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ ଘୋଷଣା କରାଯାଇଥିବା ସରକାରୀ ଭାବେ କୁହାଯାଇଛି ।