jayashree

ପ୍ରାପ୍ୟ ନ ମିଳିବାରୁ ହସ୍ପିଟାଲରୁ ପାନୀୟ ଜଳ ସଂଯୋଗ ବିଚ୍ଛିନ୍ନ କଲେ ଠିକାଦାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପାନ୍ତରଣ ସକାଶେ ୫-ଟି ଯୋଜନାରେ ସରକାର ତିନିକୋଟି ଟଙ୍କା ଯୋଗାଇ ଦେଇଛନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ ସରକାର ଏତେ ଟଙ୍କା ଯୋଗାଇ ଦେଇଥିଲେ ମଧ୍ୟ ଏହି ଡାକ୍ତରଖାନାରେ ନିରନ୍ତର ପାନୀୟ ଜଳର ସୁବ୍ୟବସ୍ଥା କରିବା ଦିଗରେ କୌଣସି ବ୍ୟୟ ବରାଦ ହୋଇ ନ ଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାଯାଇଛି । ଏପଟେ ଦୀର୍ଘଦିନ ପରେ ମଧ୍ୟ ହସ୍ପିଟାଲର ପାନୀୟ ଜଳ ବ୍ୟବସ୍ଥା ପାଇଁ କାମ କରିଥିବା ଠିକାଦାର ନିଜର ପ୍ରାପ୍ୟ ପାଇ ନ ଥିବା ଯୋଗୁଁ ଆଜି ସେ ଡାକ୍ତରଖାନାର ସମସ୍ତ ପାନୀୟ ଜଳ ସଂଯୋଗ ବିଚ୍ଛିନ୍ନ କରିଥିବା ଜଣାଯାଇଛି । ଫଳରେ ରୋଗୀ ତଥା ସେମାନଙ୍କ ପରିଜନ ସାଙ୍ଗକୁ ହସ୍ପିଟାଲ କର୍ମଚାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଗତବର୍ଷ ଜୁନ ୨ ତାରିଖରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକରେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରର ପାନୀୟ ଜଳ ସମସ୍ୟା ଦୂରୀଭୂତ କରିବା ପାଇଁ ସହମତି ପ୍ରକାଶ ପାଇବା ସହିତ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରାଯାଇ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ ମଧ୍ୟ ହୋଇଥିଲା । ତେବେ ଦୀର୍ଘଦିନ ପରେ ମଧ୍ୟ ଠିକାଦାର ବିରେନ୍ଦ୍ର ପଧାନ ନିଜ ପ୍ରାପ୍ୟ ନ ପାଇବାରୁ ଗତ ତା. ୧୨/୦୧/୨୪ରେ ଲୋଇସିଂହା ବିଡ଼ିଓଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ, ଗ୍ରାମ୍ୟ ପାନୀୟ ଜଳଯୋଗାଣ କନିଷ୍ଠଯନ୍ତ୍ରୀ, ଲୋଇସିଂହା ବିଧାୟକଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥି ସହିତ ଆବେଦନର ୧୫ ଦିନ ମଧ୍ୟରେ ପ୍ରାପ୍ୟ ପ୍ରଦାନ କରା ନ ଗଲେ ପାନୀୟ ଜଳ ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ । ତେବେ ଠିକାଦାର ଶ୍ରୀ ପଧାନ ଅଦ୍ୟାବଧି ତାଙ୍କ ପାଉଣା ପାଇ ନ ଥିବାରୁ ପାନୀୟ ଜଳ ସଂଯୋଗ ବିଚ୍ଛିନ୍ନ କରିବାକୁ ବାଧ୍ୟ ହୋଇଥିବା ସୂଚନା ଦେଇଛନ୍ତି । ଏ ବାବଦରେ ହସ୍ପିଟାଲର ଭାରପ୍ରାପ୍ତ ଅଧିକାରୀ ଡ. ଶେଖର ପଧାନଙ୍କୁ ପଚାରିବାରେ ପାନୀୟ ଜଳ ସଂଯୋଗ ବିଚ୍ଛିନ୍ନ କରାଯିବା ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିବା ପ୍ରକାଶ କରିଥିଲେ ।

Leave A Reply

Your email address will not be published.