ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ତୁଷ୍ଟାପାଲି ଗ୍ରାମର ନଳିନୀ ଛାତ୍ରିଆଙ୍କ ବଳତ୍କାର ଓ ହତ୍ୟା ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କୁ ଗିରଫ କରିବାରେ ପୋଲିସର ଅବହେଳା ପ୍ରତିବାଦରେ ଆଜି ଏଆଇଡିଏସ୍ଓ -ଏଆଇଡିୱାଇଓ-ଏଆଇଏମ୍ଏସ୍ଏସ୍ ଜିଲ୍ଲା ଶାଖା ପକ୍ଷରୁ ଏସ୍ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଘଟଣାକୁ ୨୨ ଦିନ ପୁରିଥିଲେ ମଧ୍ୟ ଅପରାଧୀମାନଙ୍କୁ କାହିଁକି ପୋଲିସ ଗିରଫ କରୁନାହିଁ ବୋଲି ବକ୍ତାମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ସଇଁନ୍ତଲା ଓ ଟିଟିଲାଗଡ ପୋଲିସର ତଦନ୍ତରେ ଶିଥିଲତା ଓ ଉଦାସୀନ ମହୋଭାବକୁ ଦୃଢ ନିନ୍ଦା କରାଯାଇଥିଲା । ଏହି ଦୁଷ୍କର୍ମ ଓ ହତ୍ୟା ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରି ସଂପୃକ୍ତ ସମସ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରି କଠୋର ଶାସ୍ତି ଦେବା ଦାବିରେ ଏକ ଦାବିପତ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ବିଦ୍ୟୁତ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସଂଗଠନ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜିର ବିକ୍ଷୋଭରେ ଏଆଇଡିଏସ୍ଓ ଜିଲ୍ଲା ସଂପାଦକ ମଧୁସୁଦନ ବାଗ, ରାଜ୍ୟ ଉପ-ସଭାପତି ସୁନିଲ ଭୋଇ, ଏଆଇଡିୱାଇଓ ଜିଲ୍ଲା ସଂପାଦକ ତାମସ ବେହେରା, ଏଆଇଏମ୍ଏସ୍ଏସ୍ ଜିଲ୍ଲା ଉପ-ସଭାପତି ବିଜୟ ନାଗ, ରିଙ୍କି ପ୍ରଧାନ, ଗୌରୀ ରାଉତ, ମହାଦେବ ଛତ୍ରିଆ, ନମିସା ଛତ୍ରିଆ, ସିନ୍ଦୁ ବନଗୁଲା ସହ ଶତାଧିକ ପୁରୁଷ ଓ ମହିଳା ସାମିଲ ଥିଲେ ।