ଆଗଲପୁର, (ସୁଶିଳ କୁମାର ମିଶ୍ର) : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ଆଗଲପୁର ବ୍ଲକର କୁଟାସିଂହାଠାରେ ଗତକାଲି ଶତାଧିକ ମାତୃମଣ୍ଡଳୀଙ୍କ ଦ୍ଵାରା ଏକ କଳସ ଶୋଭାଯାତ୍ରା ଅଙ୍ଗନଦୀରୁ ଜଗନ୍ନାଥ ମନ୍ଦିର ଯାଏଁ କରାଯାଇଥିଲା । ଗ୍ରାମବାସୀ ପ୍ରଭାତ ଫେରି ପରେ ସାମୂହିକ ହନୁମାନ ଚାଲିଶା ପାଠ କରିଥିଲେ । ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ରାମ-ସୀତା, ହନୁମାନ ବେଶରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରିଥିଲେ । ପୂଜକ ଭାବେ ଶତୃଘ୍ନ ପୁରୋହିତ ସୁନ୍ଦରାକାଣ୍ଡ ଓ ରାମ ପୂଜନ କରିଥିଲେ । ପରେ ଗ୍ରାମବାସୀ ସାମୂହିକ ଅନ୍ନପ୍ରସାଦ ସେବନ କରିଥିଲେ । ସନ୍ଧ୍ୟାରେ ଶ୍ରୀରାମ ପ୍ରାଣ ପ୍ରତିଷ୍ଠା କମିଟିର ସଂଯୋଜକ ଯୋଗୀନ୍ଦ୍ର ଦାଶଙ୍କ ସଂଯୋଜନାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସଭାପତି ଭାବେ ନକୁଳ ପାତ୍ର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଡାକ୍ତର ଡା. ଗୌତମ ବିଶ୍ଵାଲ ଯୋଗଦାନ କରିଥିଲେ । ଏହି ଅବସରରେ ନବେ ଦଶକରେ ଅଯୋଧ୍ୟାକୁ କରସେବକ ରୂପେ ଯାଇ କାର୍ଯ୍ୟ କରିଥିବା ଗ୍ରାମର ଉଦ୍ଧବ ବାବାଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ରାମାୟଣ କୁଇଜ ଓ ରାମଭଜନର ଗୀତନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିଶୁଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମରେ ସମୀର ସାହୁ, ସୁବଲ ସାହୁ, ସାଧୁରାମ ଦେହରୀ, ପବିତ୍ର ବେହେରା, ଚୈତନ୍ୟ ସାହୁ, ପିତାମ୍ବର, ନୀଳମଣି ପସାୟତ, ଆନନ୍ଦ ପସାୟତ, ଦୟାନିଧି ସାହୁ, ପ୍ରେମାନନ୍ଦ ସାହୁ, ନିରଞ୍ଜନ ଦେହେରୀ, ପ୍ରଦୀପ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।