ମଣ୍ଡଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମଣ୍ଡଳ ବିଶ୍ୱନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ପରମାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ପଣ୍ଡା, ସରପଞ୍ଚ ତ୍ରିୟମ୍ବକ ଭୋଇ, ପରିଚାଳନା ସମିତି ସଭାପତି ସଞ୍ଜୟ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରତାପ କିଶୋର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବର ମଧ୍ୟ ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ବରିଷ୍ଠ ଶିକ୍ଷକ ବିଭୀଷଣ ପାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ତୃପ୍ତିରଞ୍ଜନ ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ । ମଞ୍ଚାସୀନ ଅତିଥିମାନେ ଭାଷା ସାହିତ୍ୟ ଓ ସୃଜନଶୀଳତା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଶତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପସ୍ଥିତ ଅଭିଭାବକ, ଅଭିଭାବିକା, ପୂର୍ବତନ ଛାତ୍ର ଓ ପରିଚାଳନା ସମିତି କର୍ମକର୍ତ୍ତା, ଶୁଭେଚ୍ଛୁମାନଙ୍କୁ ଅନେକ ସମୟ ଧରି ବାନ୍ଧି ରଖିଥିଲା । ଶିକ୍ଷକ ବିଭୀଷଣ ପାନ ଓ ବୀରେନ୍ଦ୍ର ଚୌହାନ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଅନୀତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ପ୍ରଦୀପ କୁମାର ଠାକୁର, ଭାବଗ୍ରାହୀ ପଣ୍ଡା, ବିଶ୍ୱନାଥ ପଣ୍ଡା, ହରେକୃଷ୍ଣ ପାଣିଗ୍ରାହୀ ଏବଂ ଶିକ୍ଷକ ପଦ୍ମଲୋଚନ ଶତପଥିଙ୍କ ଉପସ୍ଥିତି ଆୟୋଜକମାନଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ, ସ୍କାଉଟ ଗ୍ରୁପ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.