jayashree

ବାଲେଶ୍ୱର ରେମୁଣାଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

● ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତବିନିମୟ କଲେ କେନ୍ଦ୍ର ମନ୍ତ୍ରୀ
● ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଗରିବ କଲ୍ୟାଣ ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି : ଶ୍ରୀ ବୈଷ୍ଣବ
● ‘‘ଆହୁରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେଶର ଗରିବ ଲୋକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି’’
● ‘‘ପୂର୍ବରୁ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁ ରେଳ ଭିତ୍ତିଭୂମିର ଆଶାନୁରୂପ ବିକାଶ ହୋଇପାରୁନଥିଲା, ଏବେ ରେଳ ଭିତ୍ତିଭୂମି ବିକାଶରେ ଅଭୂତପୂର୍ବ ସୁଧାର ଆସିଛି’’

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ହନୁମାନ କଲ୍ୟାଣ ମଣ୍ଡପରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ରୀ ବୈଷ୍ଣବ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତବିନିମୟ କରିଥିଲେ ଏବଂ ସେମାନଙ୍କୁ ମିଳୁଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ପଚାରି ବୁଝିଥିଲେ । ଶ୍ରୀ ବୈଷ୍ଣବ ଜଣେ ପିଏମ୍‌ ସ୍ୱନିଧି ଯୋଜନାର ହିତାଧିକାରୀ ବିଜୟ ଗିରିଙ୍କ ସହ କଥା ହୋଇଥିଲେ । ଶ୍ରୀ ଗିରି ଜଣେ ଉଠାଦୋକାନୀ ଭାବେ ପରିବା ବିକ୍ରି କରୁଛନ୍ତି । ପିଏମ୍ ସ୍ୱନିଧି ଯୋଜନାରେ ମିଳିଥିବା ଋଣ ସହାୟତା ତାଙ୍କୁ ବ୍ୟବସାୟ ବଢ଼ାଇବାରେ ସହାୟକ ହୋଇଛି ବୋଲି ସେ କହିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ଶ୍ରୀ ଗିରିଙ୍କ ଭଳି ସ୍ୱାଭିମାନୀ ଭାଇମାନଙ୍କ ବିଷୟରେ କେହି କେବେ ଚିନ୍ତା କରିନଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପାଇଁ ସହଜରେ ବନ୍ଧକମୁକ୍ତ ଋଣ ସୁବିଧା ଯୋଗାଇ ଦେଇଛନ୍ତି । ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଗରିବ କଲ୍ୟାଣ ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସେସବୁ ଯୋଜନା ଦ୍ୱାରା ଦେଶର କୋଟି କୋଟି ଗରିବ ଲୋକ ଲାଭ ପାଉଛନ୍ତି । ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦାହରଣ ଦେଇ ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଗରିବ ଲୋକଙ୍କ ପାଇଁ ବ୍ୟକ୍ତି ପିଛା ମାସିକ ୫ କିଲୋଗ୍ରାମ ଲେଖାଏଁ ଚାଉଳ ଯୋଗାଇ ଦେଉଛନ୍ତି । ଆହୁରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେଶର ଗରିବ ଲୋକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଗରିବଙ୍କ ଦୁଃଖ ବୁଝିଥିବା ଜଣେ ବ୍ୟକ୍ତି କେବଳ ଏଭଳି ନିଷ୍ପତ୍ତି ନେଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ଶ୍ରୀ ବୈଷ୍ଣବ ଆହୁରି କହିଥିଲେ, ମହିଳାଙ୍କୁ ଉଜ୍ଜ୍ୱଳା ଗ୍ୟାସ, ସବୁ ଘରେ ପିଇବା ପାଣି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ପ୍ରତି ଗାଁରେ ସଡ଼କ, ସବୁ ଗାଁରେ ବିଦ୍ୟୁତ ସେବା, ୪-ଜି, ୫-ଜି ଦୂରସଞ୍ଚାର ସେବା, ଏସବୁ ସୁବିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗାଇ ଦେଉଛନ୍ତି । ସବୁ ପରିବାରର ଦୁଃଖ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗ୍ୟାରେଣ୍ଟି ଦେଉଛନ୍ତି ବୋଲି ସେ କହିଥିଲେ । ପୂର୍ବରୁ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁ ରେଳ ଭିତ୍ତିଭୂମିର ଆଶାନୁରୂପ ବିକାଶ ହୋଇପାରୁନଥିଲା । ଏବେ ଦେଶର ରେଳ ସେବାରେ ଯଥେଷ୍ଟ ସୁଧାର ଆସିଛି । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.