jayashree

ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

  • ଛାତ୍ରଛାତ୍ରୀଙ୍କୁ ଦକ୍ଷ କରି ସେମାନଙ୍କୁ ବୈଜ୍ଞାନିକ କରିବା – ଧର୍ମେନ୍ଦ୍ର ପ୍ରଧାନ
  • ପ୍ରାୟ ୩୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଭବନ
  • ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ
  • ଦେବଗଡ଼ ଆମର ସାଂସ୍କୃତିକ ସହର ଓ ପଢାଲେଖା ଅଞ୍ଚଳ, ଦେବଗଡର ମୂଳପୁଞ୍ଜି ଶିକ୍ଷା
  • ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିବା ଦିଗରେ ଦେବଗଡର ଅବଦନ ଅତୁଳନୀୟ
  • ଓଡ଼ିଆ ଭାଷାକୁ ସୁରକ୍ଷିତ ରଖିବାରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ବଡ଼ ଭୂମିକା
  • ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲରେ ୨ଟି ସେକ୍ସନ କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ପରାମର୍ଶ
  • ଜାତୀୟ ଶିକ୍ଷା ନୀତିର ଉପାଦେୟତା ଉପରେ ଚର୍ଚ୍ଚା କଲେ କେନ୍ଦ୍ରମନ୍ତ୍ରୀ
  • ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ କହିଲେ

ଦେବଗଡ, (ପିଆଇବି) : ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିର ଦେଶ ଭାବରେ ପରିଣତ ହୋଇଛି । ଆଗାମୀ ଦିନରେ ଆମ ଦେଶ ବିଶ୍ୱର ଏକ ନମ୍ବର ଅର୍ଥନୀତି ହେବା ସହ ବିକଶିତ ଭାରତ ହେବ । ଏଥିପାଇଁ ଏବେଠାରୁ ଆମର ଛାତ୍ରଛାତ୍ରୀଙ୍କୁ ଦକ୍ଷ କରିବାକୁ ପଡିବ । ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ସୃଷ୍ଟି କରିବା ପାଇଁ ପଡିବ ବୋଲି ଶନିବାର ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଭବନର ଭୂମିପୂଜନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେବଗଡ଼ ଆମର ସାଂସ୍କୃତିକ ସହର ଓ ପଢାଲେଖା ଅଞ୍ଚଳ । ଦେବଗଡର ମୂଳପୁଞ୍ଜି ଶିକ୍ଷା । ଏଠାରେ ପାଠପଢାର ବହୁତ ପୁରୁଣା ସଂସ୍କାର ଅଛି । ଜିଲ୍ଲାରେ ଗଢି ଉଠିଥିବା ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରୁ ଅନେକ ଅନୁଷ୍ଠାନ ଶହେବର୍ଷ ପୁରୁଣା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିବା ଦିଗରେ ଦେବଗଡର ଅବଦନ ଅତୁଳନୀୟ । ଭାଷାଭିତ୍ତିରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ତଥା ଓଡ଼ିଆ ଭାଷାକୁ ସୁରକ୍ଷିତ ରଖିବାରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ବଡ଼ ଭୂମିକା ରହିଛି । ଭାରତ ସରକାରଙ୍କ ସହଯୋଗରେ ପ୍ରାୟ ୩୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍‌ ପୂର୍ଣ୍ଣାଙ୍ଗ ହେଲେ ଏକ ଭଲ ସ୍କୁଲ ହେବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିରେ ଗୁଣାତ୍ମକ ଶିକ୍ଷା ସହ ବହୁମୁଖୀ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇଛି । ବାଲବାଟିକା ମାଧ୍ୟମରେ ଖେଳକୁଦ, ଗୀତ ଓ ଯାଦୁ ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ମାତୃଭାଷାକୁ ଗୁରୁତ୍ୱ, ଗବେଷଣା ଏବଂ ସାମାଜିକ ସଚେତନତା ଭଳି ବିଷୟକୁ ପାଠପଢାର ଅଂଶବିଶେଷ କରିବା ଉପରେ ପ୍ରାଥମିକତା ଦିଆଯାଇଛି । ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ । ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢୁଥିବା ଦୃଷ୍ଟିରେ ରଖି ଆସନ୍ତା ଶିକ୍ଷା ବର୍ଷରୁ ଏଠାରେ ୨ଟି ସେକ୍ସନ କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଏହାସହ ସ୍କୁଲରେ ଦ୍ୱାଦଶ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ କିପରି ପ୍ରତିଯୋଗିତାମୂଳକ ଭାବେ ଆଗକୁ ବଢିବେ, ସେଥିପାଇଁ ଉଦ୍ୟମ କରିବାକୁ ଶ୍ରୀ ପ୍ରଧାନ ବିଶେଷ ଗୁରୁତ୍ୱ ଦେଇଛନ୍ତି ।

Leave A Reply

Your email address will not be published.