ଭବାନୀପାଟଣାଠାରେ ଦ୍ୱିତୀୟ ଦିଶା କମିଟି ବୈଠକ ୨୦୨୩-୨୪ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୨୦୨୩-୨୪ ବର୍ଷର ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଧର୍ମଗଡ ବିଧାୟକ ମୌଷଦି ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସଚିନ ପାୱାର ପ୍ରକାଶ, ସଦର ବିଧାୟକ ପ୍ରତିନିଧି ମନୋଜ ସାହୁ, ନର୍ଲା ବିଧାୟକ ପ୍ରତିନିଧି ସୁଧୀର ମହାନ୍ତି, ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ଯୋଗ ଦେଇଥିଲେ । ଏହା ସହିତ ବୈଠକରେ ବ୍ଲକ୍ ଅଧ୍ୟକ୍ଷ, ସରପଞ୍ଚ, ଏନ୍‌ଏସି ଅଧ୍ୟକ୍ଷ, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା, ଏନ୍‌ଜିଓ କର୍ମକର୍ତ୍ତା ଓ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ପ୍ରଥମେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, କଳାହାଣ୍ଡି “ଦିଶା” ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଯୋଜନା ଓ ରାଜ୍ୟ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦେଇ ଜନ ପ୍ରତିନିଧି ଏବଂ ସଭା ଅଧ୍ୟକ୍ଷଙ୍କ ଉପସ୍ଥାପିତ ବିଭିନ୍ନ ପ୍ରଶ୍ନ ଅଭିଯୋଗ ଉପରେ ସଠିକ୍ ମତ ରଖିବାକୁ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ଦିଶା ଅଧ୍ୟକ୍ଷ ଶ୍ରୀ ପଣ୍ଡା କେନ୍ଦ୍ରୀୟ ଅନୁଦାନ ଓ ଖର୍ଚ୍ଚର ମୂଲ୍ୟାଙ୍କନ, ବିଭିନ୍ନ ସ୍କିମ୍‌ର ସଫଳତା ଓ ବିଫଳତା, ଲକ୍ଷ୍ୟ ଧାର୍ଯ୍ୟ ବିଫଳତାର କାରଣ ଓ ତର୍ଜମା ଉପରେ ଆଲୋଚନା କରିବା ପାଇଁ କହିବା ସହ ଏଜେଣ୍ଡା ଅନୁଯାୟୀ ସଂପୃକ୍ତ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ବୈଠକରେ ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ରୀୟ ସ୍କିମ୍ ମନରେଗା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଏନ୍‌ଏସ୍‌ଏଫ୍ଏ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ ଓ ସହର), ଜାତୀୟ ପାନୀୟ ଜଳ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ଦିନ୍ ଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଏନ୍‌ଏଚ୍‌ଏମ, ଆଇସିଡ଼ିଏସ୍, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା, କୃଷି ସ୍ୱାସ୍ଥ୍ୟ କାର୍ଡ, କୌଶଳ ବିକାଶ ଯୋଜନା, ଜନ ସେବା କେନ୍ଦ୍ର, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଟେଲିକମ, ରେଲୱେ ସମ୍ପର୍କିତ ଜିଲ୍ଲାସ୍ତରରେ ବିଭିନ୍ନ ବିଭାଗ ଦ୍ଵାରା କରାଯାଉଥିବା ଏହି ଉପରୋକ୍ତ ସ୍କିମ୍‌ରେ ଲାଭ ପାଉଥିବା ହିତାଧିକାରୀ, ସ୍କିମ୍‌ର ଅଗ୍ରଗତି, ସଫଳତା, ଲକ୍ଷ୍ୟ ଧାର୍ଯ୍ୟ ପୂରଣ ଉପରେ ସମୀକ୍ଷା କରିଥିଲେ । ସାଂସଦ ଶ୍ରୀ ପଣ୍ଡା ସିଡିଏଓ, ଡିଆର୍‌ସିଏସ୍‌, ସିଏସ୍‌ଓଙ୍କୁ ଜିଲ୍ଲାରେ ଧାନ ସଂଗ୍ରହଣ, ଅଭାବୀ ବିକ୍ରି, ଟୋକନ୍ ସମସ୍ୟା, ମଣ୍ଡି ସମସ୍ୟା, ଛତିଶଗଡ଼କୁ ଧାନ ଚୋରାଚାଲାଣ ଉପରେ ବିଭିନ୍ନ ପ୍ରଶ୍ନ ପଚାରି ଏହାର ଉତ୍ତର ଚାହିଁଥିଲେ । ଜିଲ୍ଲାରେ ମନରେଗା ଯୋଜନାରେ ୧୩ଟି ବ୍ଲକରେ ୨୦୨୩-୨୪ରେ ୪୭୮୯ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ୧୫୭୪୨୭ ପରିବାର ହିତାଧକାରୀ କାମ ପାଇଛନ୍ତି ଏବଂ ୨୧୧୭୭ ପରିବାର ୧୦୦ ଦିନ କାମ ସଂପୂର୍ଣ୍ଣ କରିଛନ୍ତି । ସେଭଳି ଜମି ରେକର୍ଡ ଆଧୁନୀକରଣରେ କଳାହାଣ୍ଡି, ଧର୍ମଗଡ, ଏମ୍‌. ରାମପୁର, ଥୁଆମୁଲ ରାମପୁର, ଜୟପାଟଣା ତହସିଲକୁ ନିଆଯାଇଛି । ଗ୍ରାମ୍ୟ ବିଦ୍ୟୁତିକରଣରେ ପୂର୍ବ ଡିଭିଜନରେ ଦିନ ଦୟାଲ ଗ୍ରାମ୍ୟ ଜ୍ୟୋତି ଯୋଜନା ଅନ୍ତର୍ଗତ ୫୬୧ଟି ଗ୍ରାମର ୧୬୧୯୮ ପରିବାର ଏବଂ ସୌଭାଗ୍ୟ ଯୋଜନାରେ ୫୨୦ଟି ଗ୍ରାମର ୩୩୦୮୦ ପରିବାର ଓ ପଶ୍ଚିମ ଡିଭିଜନରେ ଦିନ ଦୟାଲ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ୫୪୮ଟି ଗ୍ରାମର ୩୯୭୦୮ ପରିବାର ଓ ସୌଭାଗ୍ୟ ଯୋଜନାରେ ୭୪୨ଟି ଗ୍ରାମର ୫୯୧୨୭ ପରିବାରଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି । ଦିନ ଦୟାଲ ଗ୍ରାମ୍ୟ କୌଶଳ ଯୋଜନାରେ ୨୦୧୫ରୁ ୨୦୨୨-୨୩ ପର୍ଯ୍ୟନ୍ତ ବିଭିନ୍ନ ଟ୍ରେଡରେ ୫୬୭୬ ଜଣ କର୍ମ ନିଯୁକ୍ତି ପାଇଛନ୍ତି । ମଧ୍ୟାହ୍ନ ଭୋଜନରେ ୧୩ଟି ବ୍ଲକ୍‌ରେ ୨୧୬୬ଟି ସ୍କୁଲ ୧୮୬୭୪୬ ଜଣ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗରେ ବର୍ତ୍ତମାନ ୬୦୯ ଅନୁମୋଦିତ ପଦବୀରୁ ୨୧୦ ଜଣ ଡାକ୍ତର, ଆୟୁଷ ଡାକ୍ତର ୫୬ରୁ ୪୬ ଜଣ, ଷ୍ଟାଫ ନର୍ସ ୫୯୨ରୁ ୨୨୭ ଜଣ କାର୍ଯ୍ୟରତ ଅଛନ୍ତି । ସାଂସଦ ଶ୍ରୀ ପଣ୍ଡା ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଆସିଥିବା ଅନୁଦାନ ଅର୍ଥ, କାର୍ଯ୍ୟ ନିର୍ବାହ, ଲକ୍ଷ୍ୟ ପୁରଣ ଉପରେ ସବିଶେଷ ସମୀକ୍ଷା କରିଥିଲେ । ଜିଲ୍ଲାରେ ବେଦାନ୍ତ ଆଲୁମିନା ପକ୍ଷରୁ ବିଭିନ୍ନ ପଦବୀରେ କଳାହାଣ୍ଡି ଯୁବକ, ଯୁବତୀମାନଙ୍କୁ ନିଯୁକ୍ତି ଦେବାରେ କାହିଁକି ଅବହେଳା କରୁଛି ଏବଂ ଏଥିପାଇଁ ବହୁତ ଯୁବକ ଯୁବତୀ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି କହିଥିଲେ । କଳାହାଣ୍ଡିର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସହ ରାଜ୍ୟର ଅନୁଦାନ ଅର୍ଥର ସଠିକ୍ ବିନିଯୋଗ, ଜିଲ୍ଲାର ଲୋକଙ୍କ ସର୍ବନିମ୍ନ ଆବଶ୍ୟକତାକୁ ଅଗ୍ରାଧିକାର ଦେଇ ସମସ୍ତେ ଚେଷ୍ଟା ସହ ଆନ୍ତରିକ ଉଦ୍ୟମ କଲେ ଏହି ସବୁ ଯୋଜନାର ହିତାଧିକାରୀ ନିଶ୍ଚୟ ପାଇପାରିବେ ବୋଲି ସାଂସଦ କହିଥିଲେ । ବୈଠକରେ ଦୁର୍ଗମ ଅଞ୍ଚଳରେ ମୋବାଇଲ ଓ ନେଟ୍ ଟାୱାର, ଥୁଆମୂଲ୍ ରାମପୁର , ଲାଞ୍ଜିଗଡ ଅଞ୍ଚଳରେ ଅଧିକ ବ୍ୟାଙ୍କ୍ ଶାଖା, ଫସଲ ବୀମା, କ୍ଷୁଦ୍ର ଜଳ ସେଚନ, ପୋଷଣ ଯୋଜନା, ଉର୍ଲାଦାନି ପଞ୍ଚାୟତରେ ୧୬ଟି ଗ୍ରାମରେ ସୋଲାର ବିଦ୍ୟୁତିକରଣ, ଗ୍ରାମ୍ୟ ଉନ୍ନୟନ ଦ୍ୱାରା ଗ୍ରାମ ସଂଯୋଗୀକରଣ ରାସ୍ତା ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.