ଛତ୍ରପୁର ସରସ୍ଵତୀଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଆଜି ଉଦ୍‌ଯାପିତ ହୋଇଯାଇଛି । ଛତ୍ରପୁର କ୍ରୀଡାଙ୍ଗନରେ ୨ ଦିନ ଧରି ଚାଲିଥିବା ଶ୍ରୀରାମନଗରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୭ତମ ବାର୍ଷିକ କ୍ରୀଡ଼ା ଉଦ୍‌ଯାପନ ଅବସରରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ପୌର-ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସମ୍ମାନୀତ ଅତିଥିଭାବେ ବ୍ରହ୍ମପୁର ଫିଜିକାଲ ଏକାଡେମୀର ପ୍ରତିଷ୍ଠାତା, କୋଚ ତଥା ଅବସରପ୍ରାପ୍ତ ହାବିଲଦାର ସିମାଞ୍ଚଳ ବାରିକ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିବା ସହ ଶିଶୁମାନଙ୍କୁ ସୁନ୍ଦର ସ୍ୱାସ୍ଥ୍ୟ ଓ ସୁସ୍ଥ ରହିବାର ମାର୍ଗ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ସଭାପତିତ୍ଵ କରିଥିଲେ । ପ୍ରଧାନଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ସହ ସ୍ଵାଗତ ଭାଷଣ ଦେଇଥିଲେ । ଉପ-ସଭାପତି ଗୀତା ପାଢୀ, ସମାଜସେବୀ ଏନ୍. ଚନ୍ଦ୍ରଶେଖର ରାଓ ପ୍ରମୁଖ ଯୋଗ ଦେଇଥିଲେ । କ୍ରୀଡା ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁ ବାର୍ଷିକ କ୍ରୀଡାର ବୃତ୍ତ ପଠନ କରିଥିଲେ । ପ୍ରାପ୍ତ ସୂଚନା ଅନୁସାରେ ଶିଶୁ , ବାଲ୍ୟ ଓ କିଶୋର ବର୍ଗ ଖେଳ ଗୁଡ଼ିକ ମଧ୍ୟରେ ୧୦୦ମି, ୨୦୦ମିଟର, ୪୦୦ମି, ୬୦୦ମି, ୧୫୦୦ମି, ୩୦୦୦ମି, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଗୋଳାଫିଙ୍ଗା, ଥାଳିଆ ଫିଙ୍ଗା, ଓ ବର୍ଛାଫିଙ୍ଗା ଆଦି ଖେଳରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁମାନେ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ସଙ୍କୁଳସ୍ତରୀୟ ବାର୍ଷିକ କ୍ରୀଡାରେ ଭାଗ ନେବେ । ଏଥିରେ ଶାରୀରିକ ପ୍ରମୁଖ ଚତୁର୍ଭୁଜ ତ୍ରିପାଠୀ, ସ୍ଥାନୀୟ ମହିଳା ମହାବିଦ୍ୟାଳୟର କ୍ରୀଡା ଅଧ୍ୟାପକ ସନ୍ତୋଷ କୁମାର ବିଷେୟୀ, ସମସ୍ତ ଅଭିଭାବକ ଓ ଅଭିଭାବିକା, ଗୁରୁଜୀ, ଗୁରୁମା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.