ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବରେ ଅମଳ ଧାନ ଫସଲ ଓ ପନିପରିବା ନଷ୍ଟ ହେବା ଆଶଙ୍କା : ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକରେ ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବରେ ଅମଳ ଧାନ ଫସଲ ଓ ପନିପରିବା ଗୁଡିକର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି ।ଏହି ଅଦିନିଆ ବର୍ଷା ଆରମ୍ଭ ହେବା ଫଳରେ ବ୍ଲକର ୨୩ ଗୋଟି ପଞ୍ଚାୟତ ଅଞ୍ଚଳରେ ବର୍ଷା ହେବା ସହ ଅମଳ ଧାନ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଗତ ୫ ତାରିଖ ମଙ୍ଗଳବାର ଦିନଠାରୁ ଝିପି ଝିପି ବର୍ଷା ଆରମ୍ଭ ହେଇଥିବା ବେଳେ ବୁଧବାର ଦିନତମାମ ସହ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବର୍ଷା ହୋଇଛି । ଯାହା ଫଳରେ ଅମଳ ଧାନ ଗୁଡିକ ଚାଷୀ ଚାଷ ଜମିରେ ଧାନ କାଟି ପଡି ରହିଥିବା ବେଳେ ବର୍ଷା ଯୋଗୁଁ ବ୍ୟାପକ କ୍ଷତି ହୋଇଥିବା ଦେଖାଦେଇଛି । ଏପରିକି ଅମଳ ଧାନ ଫସଲଗୁଡିକ ନଷ୍ଟ ହୋଇଥିବା ସହିତ ଚଳିତ ବର୍ଷ ଚାଷୀ ମୁଗ, ବିରି, କୋଳଥ, କପା, ଚଣା ଆଦି ଚାଷ କରିଥିବା ବେଳେ ବର୍ଷାରେ ପନିପରିବା ଚାଷଗୁଡିକ ବେହାଲ୍‌ ହୋଇଛି । ଏଥିରେ ଭଦ୍ରା ପଞ୍ଚାୟତ ସିଲେଟପଡା ଗାଁର ଉଦ୍ଧବ କୁମ୍ଭାର ନାମକ ଜୈନିକ ଚାଷୀଙ୍କ ୨ ଏକର ଚାଷ ଜମି ରହିଥିବା ବେଳେ ବର୍ଷା ଯୋଗୁଁ ଅମଳ ଧାନ ସହ ମୁଗ, ବିରି, ହରଡ଼, ଚଣା ଇତ୍ୟାଦି ଫସଲଗୁଡିକ ନଷ୍ଟ ହୋଇଥିବା ଚାଷୀ ଉଦ୍ଧବ କ୍ଷୋଭ ସହ ପ୍ରକାଶ କରିଛନ୍ତି । ଏହି ବର୍ଷା ହେବା ଯୋଗୁଁ ଚାଷୀ ଅମଳ ଧାନକୁ କ୍ଷେତରେ ଛାଡି ଦେଇଥିବା ବେଳେ କିଛି ଧାନକୁ ପଲିଥିନ୍‌ ସାହାଯ୍ୟରେ ଢ଼ାପି କରି ରଖିଥିବା ଦେଖାଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ତହସିଲ ବିଭାଗ ଓ କୃଷି ବିଭାଗ କ୍ଷୟ କ୍ଷତି ଅଞ୍ଚଳକୁ ଆକଳନ କରିବା ପାଇଁ ଆସି ନ ଥିବା ଚାଷୀ ଅଭିଯୋଗ କରିଛନ୍ତି । ଏଣୁ ଏ ଦିଗରେ କୃଷି ବିଭାଗ ତୁରନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତର ଗାଁ ଗୁଡିକକୁ ଯାଇ କ୍ଷୟକ୍ଷତି ଆକଳନ କରି ତୁରନ୍ତ ଚାଷୀମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସଇଁତଲା କୃଷକ ସଂଘ ସଭାପତି ସତ୍ୟନାରାୟଣ ପଣ୍ଡା ଦାବୀ କରିଛନ୍ତି ।

Leave A Reply

Your email address will not be published.